ମୁମ୍ବାଇ,୨୮।୬: ମହାରାଷ୍ଟ୍ରରେ ମୌସୁମୀ ଛୁଇଁବା ପରେ ମୁମ୍ବାଇବାସୀଙ୍କୁ ଗରମରୁ ଟିକେ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ସକାଳେ ମୁମ୍ବାଇ, ପାଳଘର ସମେତ ବହୁ ସ୍ଥାନରେ ମୂଷଳଧାରାରେ ବର୍ଷା ହୋଇଛି। ଏଥିଯୋଗୁ ଲୋକେ ଗରମରୁ ତ୍ରାହି ପାଇଥିବା ବେଳେ ଅନ୍ୟପଟେ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଭାରି ବର୍ଷା ଯୋଗୁ ଅନ୍ଧେରୀ, ଧରାବୀ, ବସଇ, କାନ୍ଦିବଲୀ, ବୋରବଲୀ ସମେତ ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଫଳରେ ଲୋକମାନେ ବାହାରକୁ ବାହାରିବାରେ ଅସୁବିଧା ଉପୁଜିବା ସହ ରାସ୍ତାରେ ମଧ୍ୟ ଯାତାୟତରେ ବାଧା ସୃଷ୍ଟି ହୋଇଛି। ଏଥିପାଇଁ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ୍ ହୋଇଥିବା ଦେଖିବାକୁ ମିଳିଛି।