Advertisement
Categories: କନ୍ଧମାଳ

ବର୍ଷାରେ ବେହାଲ ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭।୩(ଡି.ଏନ୍‌.ଏ.)

ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ ଦୁଇଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି। ଶୁକ୍ରବାର ୫୧ ମିମି ବର୍ଷା ରେକର୍ଡ଼ କରାଯାଇଥିବାବେଳେ ଗୁରୁବାର ୩୪ ମିମି ବର୍ଷା ରେକର୍ଡ଼ କରାଯାଇଥିଲା। ବର୍ଷା ଯୋଗୁ ହଳଦୀ ଅମଳରେ ବାଧାସୃଷ୍ଟି ହୋଇଥିବାବେଳେ ପନିପରିବା ଚାଷୀଙ୍କ ପାଇଁ ଏହା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଛି। ସେହିପରି ସକାଳ ୮ଟା ପର୍ଯ୍ୟନ୍ତ କୋହଲା ପାଗ ସାଙ୍ଗକୁ କୁହୁଡି ଜନଜୀବନ ଅସ୍ତବ୍ୟସ୍ତ କରିଥିଲା। ପୂର୍ବାହ୍ନ ପ୍ରାୟ ୧୦ଟା ପରେ ପାଗ ଶୁଖିଲା ରହିବା ସହ ଖରା ହୋଇଥିଲା। ପଞ୍ଚାୟତ ଅଧିନରେ ଥିବା ଡ୍ରେନ୍‌ ଜାମ୍‌ ହୋଇ ରହିଥିବାରୁ ବର୍ଷାଜଳ ନିଷ୍କାସିତ ହୋଇ ନ ପାରି ରାସ୍ତାରେ ପ୍ରବାହିତ ହୋଇଥିଲା। ବର୍ଷା ଛାଡିବା ପରେ ଏବେ ରାସ୍ତାରେ କୁଢକୁଢ ପଲିଥିନ ଓ ଅଳିଆ ଜମା ହୋଇ ରହିଛି। ଉକ୍ତ ରାସ୍ତା ବ୍ଲକ କାର୍ଯ୍ୟାଳୟ ଠାରୁ ତହସିଲ କାର୍ଯ୍ୟାଳୟ, ବସ୍‌ ଷ୍ଟାଣ୍ଡକୁ ସଂଯୋଗ କରୁଛି। ମୁଖ୍ୟ ରାସ୍ତା ହୋଇଥିବାବେଳେ ଦୈନିକ ହଜାର ସଂଖ୍ୟାରେ ଲୋକ ଯାତାୟାତ କରୁଛନ୍ତି। ସବୁଠାରୁ ବଡ଼କଥା ହେଲା ବ୍ଲକ କଲୋନୀକୁ ଲାଗି ଉକ୍ତ ରାସ୍ତା ରହିଥିବାବେଳେ ବିଡିଓଙ୍କ କାର୍ଯ୍ୟାଳୟର ଏହା ପଛପାଖ। ସମସ୍ତ ଅଧିକାରୀ ଏହିପଟେ ଯାଇଥାନ୍ତି। ପଞ୍ଚାୟତ ପକ୍ଷରୁ ଏହାକୁ ଅଣଦେଖା କରାଯିବା ସହ ପୁତ୍ତିମୟଗନ୍ଧ ପରିବେଶରେ ନାକ ଫାଟିପଡୁଥିବା ଗ୍ରାମର କୀର୍ତ୍ତିଚନ୍ଦ୍ର ସାହୁ, ସରୋଜ ସାହୁ, ବୁଲୁ ସାହୁ ପ୍ରମୁଖ କହିଛନ୍ତି। ପଞ୍ଚାୟତ ଡ୍ରେନ ସଫେଇ ପାଇଁ ବହୁ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହା କେବଳ କାଗଜକଲମରେ ଚାଲିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଦାରିଙ୍ଗବାଡ଼ିର ଶିବମନ୍ଦିର ଛକ ଠାରୁ ଆରମ୍ଭ କରି ତିନିଛକ, ଚାରିଛକ, ବ୍ଲକରୋଡ଼ ଦେଇ ଯାଇଥିବା ସମସ୍ତ ଡ୍ରେନରେ ପଞ୍ଚାୟତ ସଫେଇ ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଛି ବୋଲି କହୁଥିବାବେଳେ ବାସ୍ତବଚିତ୍ର ସମ୍ପୂର୍ଣ୍ଣ ଅଲଗା।
ଏନେଇ ଦାରିଙ୍ଗବାଡ଼ି ପଞ୍ଚାୟତର ନିର୍ବାହୀ ଅଧିକାରୀ ଲୋକନାଥ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଡ୍ରେନ୍‌ ସଫେଇ ପାଇଁ ପ୍ରାୟ ଅଢ଼େଇଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏନେଇ ଆକ୍ସନପ୍ଲାନରେ ରଖାଯାଇଥିବା ସେ କହିଛନ୍ତି। ବର୍ଷା ଛାଡ଼ିବା ପରେ ରାସ୍ତା ଉପରେ ପଡ଼ିରହିଥିବା ଆବର୍ଜନାକୁ ସଫେଇ କରାଯିବ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel