Categories: ଖେଳ

ସ୍ଲୋ-ଓଭର ରେଟ୍‌ ପାଇଁ ନ୍ୟୁଜିଲାଣ୍ଡକୁ ଜରିମାନା

ଅକ୍‌ଲାଣ୍ଡ, ୯ା୨ (ପି.ଟି.)-ଏଠାରେ ଶନିବାର ଖେଳାଯାଇଥିବା ଭାରତ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସ୍ଲୋ-ଓଭର ରେଟ୍‌ ବୋଲିଂ ପାଇଁ ନ୍ୟୁଜିଲାଣ୍ଡ ଦଳକୁ ସେମାନଙ୍କ ମ୍ୟାଚ ଫି’ର ୬୦ ପ୍ରତିଶତ ଜରିମାନା କରାଯାଇଛି। ଆଇସିସି ମ୍ୟାଚ ରେଫରି କ୍ରିସ୍‌ ବ୍ରଡ୍‌ ଏହି ଦଣ୍ଡବିଧାନ କରିଛନ୍ତି। ଟମ୍‌ ଲଥାମଙ୍କ ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ଯେତିକି ଓଭର ବୋଲିଂ କରିବା କଥା ତା’ଠାରୁ ୩ ଓଭର ପଛରେ ରହିଯାଇଥିଲା। ଖେଳାଳି ଓ ଖେଳାଳିଙ୍କ ସହାୟକ ଷ୍ଟାଫ୍‌ଙ୍କ ଲାଗି ଉଦ୍ଦିଷ୍ଟ ଆଇସିସି ଆଚରଣ ବିଧିର ଧାରା ୨.୨୨ ଉଲ୍ଲଂଘନ ହୋଇଥିଲା। ଏହି ନିୟମାନୁସାରେ ଓଭର ପିଛା ବିଳମ୍ବ ପାଇଁ ମ୍ୟାଚ୍‌ ଫି’ର ୨୦ ପ୍ରତିଶତ ଆର୍ଥିକ ଜରିମାନା ବ୍ୟବସ୍ଥା ରହିଛି। ଲଥାମ ଦଣ୍ଡକୁ ଗ୍ରହଣ କରିନେବା ଦ୍ୱାରା ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ପଡ଼ି ନ ଥିଲା। ଭାରତ ବିପକ୍ଷ ଚଳିତ ଦ୍ୱିପାକ୍ଷିକ ସିରିଜରେ ନ୍ୟୁଜିଲାଣ୍ଡର ଏହା ପ୍ରଥମ ନିୟମ ଉଲ୍ଲଂଘନ। ଅନ୍ୟପକ୍ଷରେ ଭାରତ ଏହାର ଗତ ୩ଟି ଅନ୍ତର୍ଜାତୀୟ ଗେମ୍‌ (କ୍ରମାଗତ ଦୁଇଟି ଟି୨୦ ଏବଂ ପ୍ରଥମ ଦିନିକିଆ)ରେ ସ୍ଲୋ ଓଭର ରେଟ୍‌ ପାଇଁ ଦଣ୍ଡିତ ହୋଇ ସାରିଛି। ନ୍ୟୁଜିଲାଣ୍ଡ ଦଳ ବିପକ୍ଷରେ ଫିଲ୍ଡ ଅମ୍ପାୟର କ୍ରିସ୍‌ ବ୍ରାଉନ୍‌ ଓ ବ୍ରୁସ୍‌ ଅକ୍ସେନ ଫୋର୍ଡ, ତୃତୀୟ ଅମ୍ପାୟର ଲାଙ୍ଗଟନ ରସେରେ ଏବଂ ୪ର୍ଥ ଅମ୍ପାୟର ଜନ୍‌ ଡେମ୍ପ୍‌ସେ ରିପୋର୍ଟ କରିଥିଲେ।

Share