ବର୍ଷାରେ ଭିଜି ରାସ୍ତା ମରାମତି କଲେ ୨ ଯୁବକ

ଆନନ୍ଦପୁର,୨୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ. ଜାତୀୟ ରାଜପଥର ଶାଳପଡ଼ାରୁ ଖପରାଖାଇ ପର୍ଯ୍ୟନ୍ତ ସର୍ଭିସରୋଡ୍‌ର ଅବସ୍ଥା ବେହାଲ ହୋଇଛି। ଜାତୀୟ ରାଜପଥ ଠିକା ସଂସ୍ଥା ଅଧାପନ୍ତରିଆ ଭାବେ ସର୍ଭିସ୍‌ ରୋଡ୍‌ ନିର୍ମାଣକୁ ଛାଡି ଚାଲିଯାଇଥିବା ବେଳେ ରାସ୍ତାର ବିଭିନ୍ନ ସ୍ଥାନରେ ଦବି ଯାଇ ଖାଲଖମା ସୃଷ୍ଟି ହୋଇଛି। ଫଳରେ ସଂପୃକ୍ତ ରାସ୍ତାଦେଇ ଦୈନିକ ଯାତାୟାତ କରୁଥିବା ଛୋଡ ବଡ ଯାନ, ସାଇକେଲ ଆରୋହୀ, ପଥଚାରୀ, ସ୍କୁଲ ଛାତ୍ରୀଛାତ୍ର, ରୋଗୀ ନାନା ସମସ୍ୟାର ସମ୍ମୁଖୀନ ହେବା ସହିତ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଏହି ଘଟଣା ପ୍ରଶାସନ ଆଖିରେ ରହିଥିଲେ ବି ଏ ଦିଗରେ ପଦକ୍ଷେପ ଗ୍ରହଣ ନ କରିବା ପରିତାପର ବିଷୟ ସାଜିଛି। ଅନ୍ୟପଟେ ଜାତୀୟ ରାଜପଥ ଠିକା ସଂସ୍ଥା ପୁନର୍ବାର ନିର୍ମାଣ କାର୍ଯ୍ୟକୁ ଫେରିଥିଲେ ସୁଦ୍ଧା ସର୍ଭିସ୍‌ ରୋଡ ପ୍ରତି ଦୃଷ୍ଟି ନ ଦେବା ଦୁର୍ଭାଗ୍ୟଜନକ। ବିଭିନ୍ନ ସମୟରେ ଘଟୁଥିବା ଦୁର୍ଘଟଣାକୁ ନଜରରେ ରଖି ଗୁରୁବାର ଲଗାଣ ବର୍ଷା ସମୟରେ ସଂପୃକ୍ତ ସର୍ଭିସ୍‌ ରୋଡ୍‌ରେ ସୃଷ୍ଟି ହୋଇଥିବା ଖାଲଖମା ସ୍ଥାନକୁ ମରାମତି କରିବା ପାଇଁ ଦୁଇ ଯୁବକ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି। ଖାଲ ସ୍ଥାନରେ ସଂପୃକ୍ତ ଯୁବକମାନେ ରାସ୍ତା କଡରୁ କିଛି ବଜୁରି, ଚିପ୍‌ସ ଆଦି ସଂଗ୍ରହକରି ଖାଲରେ ପକାଇ ଗମନାଗମନ ସୁବିଧା କରିବା ପାଇଁ ଉଦ୍ୟମ କରିଥିଲେ। ଏହାକୁ ସାଧାରଣରେ ପ୍ରଶଂସା କରାଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନର ଉଦାସୀନତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରାଯାଇଛି।