ବର୍ଷା ଅଘଟଣରେ ୮ ମୃତ: ଏସ୍‌ଆର୍‌ସି

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ରାଜ୍ୟରେ ବର୍ଷା ଓ ବନ୍ୟା ଜନିତ ଅଘଟଣରେ ବର୍ତ୍ତମାନ ପର୍ଯ୍ୟନ ମୋଟ ୮ ଜଣଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଆୟୋଜିତ ଏକ ସ୍ବତନ୍ତ୍ର ଖବରଦାତା ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, କଳାହାଣ୍ଡି କର୍ଲାମୁଣ୍ଡାରେ ସର୍ବାଧିକ ୬୦୮ ମିମି ବର୍ଷା ରେକର୍ଡ କରାଯାଇଛି। ବିଭିନ୍ନ ଜିଲାର ନଦୀ ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। କେବଳ କଳାହାଣ୍ଡି କାଳୀଗଙ୍ଗା ନଦୀ ଜଳସ୍ତର ବଢ଼ିଛି। କଳାହାଣ୍ଡି ସାରଗଡ଼ ଗାଁର ୧୫୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ସେଠୀ କହିଛନ୍ତି। ଏଥିସହ ଡିଜିପଡ଼ା ଓ ଦେଉଳିପଡ଼ାର ୬୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ମାଲକାନଗିରି ଜିଲାକୁ ଗୋଟିଏ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପଠାଯିବା ପାଇଁ ପ୍ରସ୍ତୁତ ରଖାଯାଇଛି। କନ୍ଧମାଳ ଏନ୍‌ଏଚ୍‌-୫୯ର ଧୋଇଯାଇଥିବା ଅସ୍ଥାୟୀ ପୋଲକୁ ପୁନଃ ନିର୍ମାଣ କରାଯାଇଛି। ତୁମୁଡ଼ିବନ୍ଧଠାରେ ଭାସିଯାଇଥିବା ଅସ୍ଥାୟୀ କଲଭର୍ଟକୁ ମଧ୍ୟ ତିଆରି କରାଯାଇଛି। ସ୍ଥିତି ମୁକାବିଲା ପାଇଁ ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌କୁ ମଧ୍ୟ ମୁତୟନ କରାଯାଇଥିବା ସେଠୀ ସୂଚନା ଦେଇଛନ୍ତି।