Categories: ରାଜ୍ୟ

ବର୍ଷା ଅଭାବରୁ ଆଗେଇପାରୁନି ଚାଷ

ନାଉଗାଁ,୨୯ା୬(ସ୍ବ.ପ୍ର.): ନାଉଗାଁ ବ୍ଲକରେ ସାଧାରଣତଃ ବର୍ଷା ଉପରେ ନିର୍ଭର କରି ଚାଷୀ ଧାନ ଚାଷ କରିଥାନ୍ତି। ଚଳିତବର୍ଷ ଏ ପର୍ଯ୍ୟନ୍ତ ଆଶାନୁରୂପ ବର୍ଷା ହୋଇନାହିଁ। ତେଣୁ ସ୍ବଳ୍ପ ବୃଷ୍ଟି ଯୋଗୁ ଚାଷ କାର୍ଯ୍ୟରେ ବାଧା ଉପୁଜିବାର ଆଶଙ୍କା ଦେଖାଦେଇଛି। ଆଷାଢ ମାସ ଅଧା ହୋଇଥିଲେ ମଧ୍ୟ ଚାଷ ପାଇଁ ଜମିରେ ଆବଶ୍ୟକ ପାଣି ହୋଇନାହିଁ। ଏହି ବ୍ଲକର ଚାଷୀମାନେ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରି ଚାଷ କରୁଥିବାରୁ ଅଧିକ ବର୍ଷା ହେଲେ ବନ୍ୟା ଓ ସ୍ବଳ୍ପ ବୃଷ୍ଟି ହେଲେ ମରୁଡ଼ିର ସମ୍ମୁଖୀନ ହେଉଛନ୍ତି। ଜଳେସଚନ ସୁବିଧା ନ ଥିବାରୁ ଚାଷୀମାନେ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି। ବ୍ଲକରେ ମୋଟ ୯ ହଜାର ୭୫ ହେକ୍ଟର ଚାଷ ଉପଯୋଗୀ ଜମି ଥିବାବେଳେ ମାତ୍ର ୨୫ ପ୍ରତିଶତ ଜମିରେ ଜଳସେଚନ ସୁବିଧା ରହିଛି। ବ୍ଲକର ୧୬ ପଞ୍ଚାୟତ ପଞ୍ଚାୟତ ମଧ୍ୟରୁ ତିରୁଣା, ଡାବର, ଡେରିକି, ଓଷକଣା, କୋରୁଅ, ଜାମୁଗଁ।, ବାଂଶ ଆଦି ପଞ୍ଚାୟତରେ ଅକ୍ଷୟ ତୃତୀୟା ପରଠାରୁ ସାବିତ୍ରୀ ଅମାବାସ୍ୟା ମଧ୍ୟରେ ଚାଷୀ ଧାନ ବୁଣା ବୁଣି କରିଥାନ୍ତି। ଚଳିତବର୍ଷ ସ୍ବଳ୍ପ ବୃଷ୍ଟି ଯୋଗୁ ଧାନ ବୁଣାରେ ବାଧା ଉପୁଜିଛି। ସେହିପରି ଅନ୍ୟ ପଞ୍ଚାୟତ ଘୋଡାଂଶ, ନାଉଗାଁ, ରୋହିଆ, ବଛାଳୋ, ଅଲଣା, ଗଜରାଜପୁର, ନୂଆଗାଁ, ଗଳଧାରି ଆଦି ପଞ୍ଚାୟତରେ ଜମି ଖାଲିଆ ହୋଇଥିବାରୁ ଚାଷୀ ଧାନ ରୋଇଥାନ୍ତି। କିନ୍ତୁ ବର୍ଷା ଅଭାବରୁ ଧାନ ତଳି ପକାଯାଇପାରୁନାହିଁ। ତେଣୁ ଚାଷ କାର୍ଯ୍ୟ ପଛାଇବାରେ ଲାଗିଛି। ଏହି ବ୍ଲକକୁ ବାଲିକୁଦା ଜଳସେଚନ ଡିଭିଜନ ଅଧୀନରେ ଥିବା ୧୬ ନମ୍ବର କେନାଲ ଯୋଗେ ପାଣି ଆସିଥାଏ। ଏହି କେନାଲ ଅଲଣା ପଞ୍ଚାୟତ ମୁଣ୍ଡାଳଠାରୁ ୨ ଭାଗରେ ବିଭକ୍ତ ହୋଇଛି। ଏହାର ଗୋଟିଏ ଶାଖା ଜାମୁଗାଁ ଆଡକୁ ଯାଇଥିବାବେଳେ ଅନ୍ୟଟି ଘୋଡ଼ାଂଶ ପର୍ଯ୍ୟନ୍ତ ଆସିଛି। ସେହିପରି ଆଳିପିଙ୍ଗଳ ଜଳେସଚନ ଡିଭିଜନ ଅଧୀନରେ ଦେବୀନଦୀ କୂଳରେ ଆସିଥିବା କେନାଲ ନୂଆଗଁା ପଞ୍ଚାୟତର ସରିଆ ବରପାଟଣା, ତୋଟାପାଟଣା ଦେଇ ଛତିଆନା ପଯର୍‌ୟନ୍ତ ଲମ୍ବିଛି। ଗୋପାଳପୁର ଦେଇ ଆସିଥିବା କେନାଲ ମୁଗେଇ ପଯର୍‌ୟନ୍ତ ଆସିଛି। ଏସବୁ କେନାଲରେ ଅଧିକାଂଶ ସମୟ ପାଣି ଆସୁ ନ ଥିବାରୁ କେବଳ ନାମକୁ ମାତ୍ର କେନାଲ ଥିବା ଚାଷୀମାନେ କହିଛନ୍ତି। ଜଳସେଚନ ସୁବିଧା ଥିଲେ ହୁଏତ ସେମାନେ ଚାଷ କାର୍ଯ୍ୟ ଆଗେଇ ନିଅନ୍ତେ ବୋଲି ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ନିର୍ମାଲ୍ୟ ନାୟକ କହିଛନ୍ତି ଯେ, ଜୁଲାଇ ମାସରେ ବର୍ଷା ହେଲେ ଚାଷୀ ଧାନ ତଳି ପ୍ରସ୍ତୁତ କରିପାରିବେ। ଯେହେତୁ ଏହି ବ୍ଲକର ଅଧିକାଂଶ ଚାଷଜମି ଖାଲୁଆ କିସମ, ତେଣୁ ଚାଷ କାର୍ଯ୍ୟରେ ବାଧା ଉପୁଯିବ ନାହିଁ।

Share