ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି : ୯୦ପ୍ରତିଶତ ଜମି ପଡ଼ିଆ

ତେଲକୋଇ, ୫।୮(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ବ୍ଲକରେ ବର୍ଷାର ଅଭାବ ଯୋଗୁଁ ଧାନ କ୍ଷେତ ଫାଟି ଆଁ କରିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ପ୍ରବଳ ବର୍ଷାର ସମ୍ଭାବନା ଥିବା ନେଇ ଚାଷୀ ମାନେ ଅପେକ୍ଷାରେ ରହିଛନ୍ତି । ଶ୍ରାବଣ ମାସ ତୃତୀୟ ସପ୍ତାହ ହୋଇଥିବା ବେଳେ ବର୍ଷା ହୋଇ ନ ଥିବା ଯୋଗୁ ୯୦ପ୍ରତିଶତ ଧାନ ଜମିରେ ଚାଷ କାର୍ଯ୍ୟ ହୋଇପାରି ନାହିଁ। ଏପରିକି ରୁଆ ବିହୁଡା ସହିତ ଧାନ ତଳି ନଷ୍ଟ ହେବାରେ ଲାଗିଛି । ବହୁ ଗ୍ରାମରେ ଧାନ କିଆର ଫାଟିବା ଯୋଗୁ ଚାଷ ଜମିରେ ଏବେ ମୋଟର ସହାୟତାରେ ପାଣି ମଡାଯାଉଛି। ଚଳିତ ବର୍ଷ ଜୁନ ଜୁଲାଇ ମାସରେ ମାତ୍ର ୫୩ମିମି ବର୍ଷା ହୋଇଥିବା ବେଳେ ଅଗଷ୍ଟ ୪ତାରିଖ ସୁଦ୍ଧା ବର୍ଷା ହୋଇ ନାହିଁ। ତେବେ ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେଲେ ଚାଷୀ ମାନେ ଚାଷ କାର୍ଯ୍ୟକୁ ଯଥାକଥା କରିବା ଉଦ୍ୟମ ଅପେକ୍ଷାରେ ଥିବା ଚାଷୀ ଭଦ୍ରସେନ ପ୍ରଧାନ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ବର୍ଷାର ଅଭାବ ଯୋଗୁ ସମାକୋଇ ନଦୀର ଅବସ୍ଥା ଓ ଝରଣାର ଅବସ୍ଥାକୁ ଦେଖିଲେ ଏହି ଅଞ୍ଚଳର ବିଭିନ୍ନ ଚାଷ କାର୍ଯ୍ୟରେ ଗୁରୁତରପ୍ରଭାବ ପକାଇଛି। କେଉଁଆଡ଼େ ପାଣି ନାହିଁ। ଏସମ୍ପର୍କରେ କୃଷି ବିଭାଗର ଅଧିକାରୀ ଶିବାନୀ ଗୋଛାୟତଙ୍କୁ ପଚାରିବାରୁ ବ୍ଲକ ଅଧୀନରେ ବର୍ଷାର ପରିମାଣ ବହୁ କମ ରହିଛି। ଏଥଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ଚାଷୀ ମାନେ ଅଧୈର୍ଯ୍ୟ ହେବା ଉଚିତ ନୁହେଁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ବିଭାଗ ପକ୍ଷରୁ ପ୍ରତି ସପ୍ତାହର ବର୍ଷା ପରିମାଣ ଜିଲାକୁ ଅବଗତ କରାଯାଉଥିବା ମଧ୍ୟ ସେ ପ୍ରକାଶ କରିଥିଲେ ।