ବର୍ଷା ଅଭାବରୁ ରାଜ୍ୟରେ ମରୁଡ଼ି ଆଶଙ୍କା: ୨୪ ଘଣ୍ଟା ମଧ୍ୟରେ ବର୍ଷା ବଢ଼ିବା ନେଇ ପୂର୍ବାନୁମାନ

ଭୁବନେଶ୍ୱର, ୧୭।୭(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗାଏବ ହୋଇଯାଇଛି। ଗତ ୨ ସପ୍ତାହ ହେବ ବର୍ଷା ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି। ଜୁଲାଇ ଶେଷହେବାକୁ ବସିଥିବା ବେଳେ ରାଜ୍ୟରେ ସ୍ବାଭାବିକ ବର୍ଷା ହେଉନାହିଁ। ଧାନବିଲ ଫାଟି ଆଁ କଲାଣି। ଚାଷୀ ମୁଣ୍ଡରେ ହାତ ଦେଲେଣି। ବିଧାନସଭାରେ ମଧ୍ୟ ରାଜ୍ୟରେ ମରୁଡ଼ି ପରିସ୍ଥିତିକୁ ନେଇ ବିଧାୟକମାନେ ଆଶଙ୍କା କଲେଣି। ଆସନ୍ତା ସପ୍ତାହକ ମଧ୍ୟରେ ବର୍ଷା ନ ହେଲେ ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ଚାଷ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି କୃଷି ବିଶେଷଜ୍ଞମାନେ ଆକଳନ କଲେଣି। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଜୁନ୍‌ ପହିଲାରୁ ଏ ପର୍ଯ୍ୟନ୍ତ ୨୩ ପ୍ରତିଶତ କମ୍‌ ବର୍ଷା ହୋଇଛି। ୪ଟି ଜିଲାରେ ୪୦ ପ୍ରତିଶତରୁ କମ୍‌ ବର୍ଷା ହୋଇଥିବା ବେଳେ ଅନ୍ୟ ଜିଲାଗୁଡିକରେ ମଧ୍ୟ ପରିସ୍ଥିତି ଅସମ୍ଭାଳ ହେଲାଣି। ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି।

Share