ବର୍ଷା ଅଭାବରୁ ୮୦ ଭାଗ ଜମି ପଡ଼ିିଆ

ରାସଗୋବିନ୍ଦପୁର,୭ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକର ଅଧିକାଂଶ ଲୋକ ଧାନଚାଷ ଉପରେ ନିର୍ଭର କରନ୍ତି। ଏହି ବ୍ଲକ ମଧ୍ୟରେ ସୁବର୍ଣ୍ଣରେଖା, ଜମ୍ଭୀରା ଓ ସାନନଦୀ ପ୍ରବାହିତ ହେଉଛି। ମାତ୍ର ବିଶେଷ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଅଞ୍ଚଳର ଚାଷୀମାନେ ଖରିଫ ଧାନଚାଷ ପାଇଁ ବର୍ଷା ଉପରେ ହିଁ ନିର୍ଭର କରିଥାଆନ୍ତି। ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଅଞ୍ଚଳର ୮୦ଭାଗରୁ ଊର୍ଦ୍ଧ୍ୱ ଜମି ପଡିଆ ପଡିଛି। ବର୍ତ୍ତମାନ ଧାନଚାଷ ପାଇଁ ଲଘୁଚାପଜନିତ ବର୍ଷା ହିଁ ଚାଷୀଙ୍କ ପାଇଁ ଭରସା ପାଲଟିଛି। ଗତ ୩ ବର୍ଷ ହେଲା ଲଘୁଚାପ ବର୍ଷା ଯୋଗୁ ଚାଷୀମାନେ ଧାନଚାଷ ଅମଳ କରି ଆସୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୧୬ରେ ୧୧୪୮.୪ମି.ମି, ୨୦୧୭ରେ ୮୯୮.୧ମି.ମି, ୨୦୧୮ରେ ୯୬୧.୩ ମି.ମି ବର୍ଷା ହୋଇଥିଲା। ସାଧାରଣତଃ ଜୁନ୍‌ ମାସରେ ୨୧୫ମି.ମି, ଜୁଲାଇରେ ୩୬୬ମି.ମି., ଅଗଷ୍ଟ ମାସରେ ୩୬୪ମି.ମି ଓ ସେପ୍ଟେମ୍ବର ମାସରେ ୨୩୭ମି.ମି. ବର୍ଷା ଖରିଫ ଚାଷ ପାଇଁ ଆବଶ୍ୟକ ଥିବାବେଳେ ସ୍ବଳ୍ପ ବୃଷ୍ଟିପାତ ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଚଳିତ ଖରିଫ ଋତୁରେ ଏହି ବ୍ଲକରେ ୧୧ହଜାର ୯୬୦ ହେକ୍ଟର ଚାଷ ଜମିରେ କେବଳ ଧାନଚାଷ କରାଯିବାର କୃଷିି ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଗତ ଜୁନ୍‌ ମାସରେ ମାତ୍ର ୧୫୧.୭ ମି.ମି. ବର୍ଷା ହୋଇଛି। ଆବଶ୍ୟକତାଠାରୁ କମ୍‌ ପରିମାଣର ବୃଷ୍ଟିପାତ ହୋଇଥିବାରୁ ଏହି ବ୍ଲକର ୭୮୦ ହେକ୍ଟର ଜମିରେ ଧାନଚାଷ ହୋଇଛି। ଯେଉଁ କେତେକ ଚାଷୀ ନିଜ ଜମିରେ ବୋରୱେଲ ସ୍ଥାପନ କରିଛନ୍ତି ସେମାନେ ସ୍ବଳ୍ପ ଜମିରେ ଚାଷ କାର୍ଯ୍ୟ କରିବାରେ ସକ୍ଷମ ହୋଇଛନ୍ତି। ତେବେ ଶ୍ରାବଣମାସ ଶେଷ କିମ୍ବା ଭାଦ୍ରବ ପ୍ରଥମ ସପ୍ତାହ ମଧ୍ୟରେ ଆବଶ୍ୟକ ବୃଷ୍ଟିପାତ ନ ହେଲେ ରାସଗୋବିନ୍ଦପୁର ବ୍ଲକରେ ମରୁଡି ହେବାର ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ ବୋଲି କୁହାଯାଉଛି।