Categories: ଗଞ୍ଜାମ

ବର୍ଷା ଅଭାବ : ଚାଷକାର୍ଯ୍ୟ ପ୍ରଭାବିତ, ଚିନ୍ତାରେ ଚାଷୀ

ହିଞ୍ଜିଳିକାଟୁ,୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହଞ୍ଜିଳିକାଟୁ ବ୍ଲକ ଓ ମ୍ୟୁନିସପାଲଟି ଅଞ୍ଚଳରେ ଜୁନ୍‌ରୁ ମୌସୁମୀ ବର୍ଷା ଆଶା ଠାରୁ ଯଥେଷ୍ଟ କମ୍‌ ହୋଇଛି। ଅନିୟମିତ ବର୍ଷା ଫଳରେ ମୁଖ୍ୟତଃ ଖରିଫ ଧାନଚାଷ ଉପରେ ନିର୍ଭର କରୁଥିବା ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଅକ୍ଷୟ ତୃତୀୟାଠାରୁ ଅଖିମୁଠି ଅନୁକୂଳ ଓ ରଜପର୍ବ ବେଳକୁ ଧାନବୁଣା ଶେଷ ହେବା କଥା। ମାତ୍ର ଅଣସେଚିତ ଜମିରେ ଏବେସୁଦ୍ଧା ଧାନବୁଣା ହୋଇନାହିଁ। ବ୍ଲକରେ ଜୁନ୍‌ରେ ମାତ୍ର ୧୦୬ମିମି ବର୍ଷା ରେକର୍ଡ଼ ହୋଇଥିଲା। ଜୁଲାଇ ୯ ତାରିଖ ସୁଦ୍ଧା ୫୫.୫ ମିମି ବର୍ଷା ସରକାରୀ ରେକର୍ଡ଼ ହୋଇଛି। ଗତ ୬ ତାରିଖରେ ବ୍ଲକରେ ସର୍ବାଧିକ ୪୩ ମିମି ବର୍ଷା ହୋଇଛି। ଗତବର୍ଷ ଜୁଲାଇରେ ୯ ତାରିଖ ସୁଦ୍ଧା ୧୧୩ମିମି ବର୍ଷା ରେକର୍ଡ଼ ହୋଇଥିଲା। ଅନିୟମିତ ବର୍ଷା ଓ ଅଣସେଚିତ ଜମିକୁ ପାଣି ଅଭାବରୁ ବହୁ ଜମି ପଡ଼ିଆ ପଡ଼ିଛି। ଚଳିତବର୍ଷ ବ୍ଲକ ଓ ପୌରାଞ୍ଚଳରେ ୯୭୪୦ ହେକ୍ଟର ଜମିରେ ଖରିଫ ଧାନଚାଷ ଲକ୍ଷ୍ୟ କରାଯାଇଥିବା ଅତିରିକ୍ତ ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ କହିଛନ୍ତି। ସେଥିମଧ୍ୟରୁ ୫୦ ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଓ ୯୬୯୦ ହେକ୍ଟର ଜମିରେ ହାଇବ୍ରିଡ୍‌ ଅମଳକ୍ଷମ ଧାନ ପାଇଁ ଲକ୍ଷ୍ୟ କରାଯାଇଛି। ମାୈସୁମୀ ବର୍ଷାଜଳ ଅଭାବରୁ ବହୁ ଜମିରେ ଏବେସୁଦ୍ଧା ତଳି ପଡ଼ିନାହିଁ। ବୁଧବାର କୃଷି ବିଭାଗର ଅନୁଧ୍ୟାନ ପରେ ଅଞ୍ଚଳର ଧାନ ଜମିରେ ଆର୍ଦ୍ରତା ରହିଥିବା କୃଷି ଅଧିକାରୀ ନାଥ କହିଛନ୍ତି। ତେବେ ଅଗାମୀ ୩ରୁ ୫ଦିନ ମଧ୍ୟରେ ବର୍ଷା ନ ହେଲେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିବ ବୋଲି ନାଥ ଆଶଙ୍କା ପ୍ରକାଶ କରିଛନ୍ତି।