ବର୍ଷା ଆସିଲାଣି, ଡ୍ରେନ୍‌ ସଫେଇ ସରୁନି

ସମ୍ବଲପୁର,୪ା୬(ବ୍ୟୁରୋ)
ସମ୍ବଲପୁରରେ ନାଳନର୍ଦ୍ଦମା ସଫା କାମ ଶେଷ ହେଉନାହିଁ। ଫଳରେ ଏଥର ବର୍ଷା ଦିନେ ଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ଏପ୍ରିଲ ମାସ ଶେଷ ସୁଦ୍ଧା ଜିଲା ପ୍ରଶାସନ ସହର ବିଭିନ୍ନ ଛୋଟ ବଡ ନାଳକୁ ସଫା କରିଥାଏ। ହେଲେ ଆଜି ପଯର୍‌ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରିନି। ଜୁନ ଦ୍ୱିତୀୟ ସପ୍ତାହରେ ଓଡିଶାକୁ ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରି ସୂଚନା ଦେଇଛି। ଏଣୁ ଏଥର ସହରରେ କୃତ୍ରିମ ବନ୍ୟା ହେବା ଜଳ ଜଳ ଦିଶୁଛି। ଶୀତଳଷଷ୍ଠୀ ଯାତ୍ରା କମିଟି ଏପ୍ରିଲ ୧୮ ତାରିଖ ପ୍ରଶାସନର ପ୍ରସ୍ତୁତି ବୈଠକରେ ଏହି ସମସ୍ୟାକୁ ଉପସ୍ଥାପନା କରି ଉଦ୍‌ବେଗ ପ୍ରକାଶ କରିଥିଲା।
ସହରରେ ଧୋବିଯୋର ଓ ଟାଙ୍ଗନା ନାଳା ଭଳି ଦୁଇଟି ପ୍ରମୁଖ ନାଲା ରହିଛି । ଏହା ସହ ମୁଖ୍ୟ ରାସ୍ତା ପାର୍ଶ୍ୱ ଗଳି ଗୁଡିକରେ ଡ୍ରେନ ରହିଛି । ହେଲେ ଏବେ ନାଳରେ ଅଳିଆ ଆବର୍ଜନା ପଡି ରହିଛି। ଅନାବନା ଲଟା ସହ ପଙ୍କରେ ପୋତି ହୋଇଛି । ବାରମ୍ବାର ଅଭିଯୋଗ କଲା ପରେ ପ୍ରଶାସନ ପକ୍ଷରୁ ମାତ୍ର ହାତ ଗଣତି କେତୋଟି ଜେସିବି ଓ ଶ୍ରମିକ ଲଗାଇ ସଫେଇ କାମ ଆରମ୍ଭ କରାଯାଇଛି। ହେଲେ ତାହା ଯଥେଷ୍ଟ ନୁହେଁ । ଫାର୍ମ ରୋଡ ଓ ମ୍ୟୁନିସିପାଲିଟି ହାଇସ୍କୁଲ ନିକଟରେ ବ୍ରିଜ କାମ ହୋଇ ପାରିନାହିଁ । ସେହିପରି ଟାଙ୍ଗନା ନାଳା କଂକ୍ରିଟ କାମ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ଫାର୍ମରୋଡ ଅଞ୍ଚଳ, ମୁଦିପଡା, ଆମ୍ବେଡକର ନଗର, କୁମ୍ଭାର ପଡା, ତବଲାପଡା, ମାୟା ବଗିଚା ଭଳି ତଳି ଅଞ୍ଚଳବାସୀ ଭୟ କରୁଛନ୍ତି । ହେଲେ ଜବରଦଖଲ ହେତୁ ସଫେଇ କାମ ଓ ନିର୍ମାଣ କାମରେ ବାଧା ହେଉଥିବା ଜଳସେଚନ ବିଭାଗ କହୁଛି। ଅନ୍ୟପକ୍ଷେ ସହରର ମୁଖ୍ୟ ରାସ୍ତା ଗୁଡିକରେ ଡ୍ରେନ ଉପରେ କଂକ୍ରିଟ ସ୍ଲାବ୍‌ କରାଯାଇଛି। ତେଣୁ ସଫେଇ କାର୍ଯ୍ୟରେ ସମସ୍ୟା ରହୁଛି। ଅଳ୍ପ ବର୍ଷା ହେଲେ ମଧ୍ୟ ଲକ୍ଷ୍ମୀ ଟକିଜ ରୋଡ, ଗେଟିରୋଡ, ହୀରାକୁଦ କଳୋନୀ, ଧନୁପାଲି ଛକ, ହସପିଟାଲ ରୋଡ, ମୁଦିପଡା ଛକ ରାସ୍ତାରେ ପାଣି ଚାଲିବା ଗତ ବର୍ଷାରେ ଦେଖା ଦେଇଥିଲା । ସେହିପରି ଗତ ବର୍ଷ ବନ୍ୟାରେ ତଳି ଅଞ୍ଚଳର ୧୩୪୦ ଘର କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ରହିଛି । ତେବେ ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ପଣ୍ଡା କହିଛନ୍ତି ଯେ, ପ୍ରତି ବର୍ଷ ସଫେଇ କରାଯାଏ । ଏବେ ସଫେଇ କାମ ଆରମ୍ଭ ହୋଇଛି । ଜୁନ ୧୦ ତାରିଖ ସୁଦ୍ଧା ଏହା ସରିଯିବ ବୋଲି ସେ କହିଛନ୍ତି।