ବର୍ଷା ଛାଡ଼ିଲା: ତିନି ଦିନ କୁହୁଡ଼ି

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ରାଜ୍ୟରେ ଆଉ ପ୍ରବଳ ବର୍ଷାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଏବଂ କୋରାପୁଟ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଉତ୍ତର ଓଡ଼ିଶା ସମେତ ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଏବଂ ଝାରସୁଗୁଡ଼ାର କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ସେହିପରି ୨୮ ଓ ୨୯ ତାରିଖ ଯାଏ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏ ନେଇ ୟେଲୋଓ୍ବାର୍ନିଂ ଜାରି କରାଯାଇଛି।
ଗତ ଦୁଇଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ୨୧ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକରେ ୧୯.୪, ପାରାଦୀପ ୨୧, ଭୁବନେଶ୍ୱର ୭୮.୨, ଗୋପାଳପୁର ୪.୭, ପୁରୀ ୯, ଅନୁଗୋଳ ୧୯, ବାରିପଦା ୫, କେନ୍ଦୁଝର ୧୪.୨, ସମ୍ବଲପୁର ୨୬, ହୀରାକୁଦ ୧୩.୫, ତାଳଚେର ୨୧, ଭବାନୀପାଟଣା ୩୫, କୋରାପୁଟ ୭, ଦାରିଙ୍ଗିବାଡି ୧୩, ନୟାଗଡ଼ ୮, ଟିଟିଲାଗଡ଼ ୯ ଏବଂ କୋରାପୁଟ ଜିଲାରେ ୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Share