Categories: ରାଜ୍ୟ

ବର୍ଷା ନାହିଁ, କେନାଲରେ ଆସୁନି ପାଣି : ଆରମ୍ଭ ହୋଇପାରୁନି ଚାଷ

ତିର୍ତ୍ତୋଲ,୩୦ା୬ (ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ଚଳିତବର୍ଷ ବର୍ଷା ଅଭାବରୁ ଚାଷକାମ ପଛେଇଯାଇଛି। ଦୀର୍ଘଦିନ ହେଲା ବର୍ଷା ହୋଇ ନ ଥିବାରୁ ଧାନ ବୁଣା କିମ୍ବା ତଳିପକା କାମ ହୋଇପାରୁନାହିଁ। ଏହି ବ୍ଲକର ୨୯ ପଞ୍ଚାୟତରେ ପ୍ରାୟ ୨୮ ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ କରାଯାଇଥାଏ। ଖରିଫ ଋତୁରେ ଭଲ ବର୍ଷା ହେବା ସହ କେନାଲରେ ପାଣି ଆସିଲେ ଚାଷୀମାନେ ଅକ୍ଷୟ ତୃତୀୟାଠାରୁ ଧାନ ବୁଣିବା ଓ ତଳି ପକାଇବା କାମ ଆରମ୍ଭ କରିଥାନ୍ତି। ଚଳିତବର୍ଷ ଜୁନ ଶେଷ ସପ୍ତାହ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଭଲ ବର୍ଷା ନ ହେବାରୁ ଧାନବୁଣା କାମ ଆରମ୍ଭ ହୋଇନାହିଁ। ଏଥିସହ କେନାଲ ଶେଷମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚିପାରି ନ ଥିବାରୁ କେନାଲ ଉପରେ ନିର୍ଭରଶୀଳ ଚାଷଜମି ମଧ୍ୟ ପଡ଼ିଆ ପଡ଼ିଛି। ମୋଟାମୋଟି ଭାବେ ବର୍ଷା ଅଭାବରୁ ଚଳିତବର୍ଷ ଧାନ ଚାଷରେ ବିଳମ୍ବ ହୋଇଛି। ତିର୍ତ୍ତୋଲ ଧୋୟା ଅଞ୍ଚଳରେ ଥିବା ୭ ପଞ୍ଚାୟତ ଦେଇ ବ୍ୟାରେଜ ଡିଭିଜନ ଅଧୀନରେ ଯାଇଥିବା କେନାଲ ପାଣି ଉପରେ ନିର୍ଭର କରି ଅନେକ ଚାଷୀ ଚାଷ କାର୍ଯ୍ୟ କରିଥାନ୍ତି। ଚଳିତବର୍ଷ ଏହି କେନାଲର ଅନେକ ସ୍ଥାନରେ କାର୍ଯ୍ୟ ଚାଲିଥିବାରୁ ଏ ପର୍ଯ୍ୟନ୍ତ ଏଥିରେ ପାଣି ଛାଡିବା ସମ୍ଭବ ହୋଇନାହିଁ। ଫଳରେ ଏହି କେନାଲ ଉପରେ ନିର୍ଭରଶୀଳ କୃଷ୍ଣାନନ୍ଦପୁର ପଞ୍ଚାୟତଠାରୁ ପୋରଗଦେଇ ପଞ୍ଚାୟତ ପର୍ଯ୍ୟନ୍ତ ଜମିରେ ଚାଷ କାର୍ଯ୍ୟ ହୋଇପାରିନାହିଁ। ସେହିପରି ତାଳଦଣ୍ଡା କେନାଲର ସବ୍‌କେନାଲ ନଂ.୧୨, ୧୨(କ), (ଖ), (ଗ), ନଂ. ୧୩ (କ) ଓ (ଖ), ଏହାର ମାଇନର ଓ ସବ୍‌ମାଇନର କେନାଲଗୁଡିକରେ ଏବେ ସୁଦ୍ଧା ପାଣି ଶେଷମୁଣ୍ଡ ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭବ ହୋଇନାହିଁ।

ଫଳରେ ଏହି କେନାଲଗୁଡିକ ଉପରେ ନିର୍ଭରଶୀଳ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ରଜ ପରଠାରୁ ଏଠାରେ ଭଲ ବର୍ଷା ହୋଇନାହିଁ। ଲଘୁଚାପ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଉଥିବାବେଳେ ଏଠାରେ ଆବଶ୍ୟକ ଅନୁଯାୟୀ ବର୍ଷା ହେଉନାହିଁ। କେନାଲରେ ପାଣି ଛାଡ଼ିବା ପାଇଁ ଚାଷୀମାନେ ବହୁବାର ଦାବି କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ। କେତେକ କେନାଲରେ ଏ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟ ଶେଷ ହୋଇନାହିଁ। ଫଳରେ କେନାଲରେ ପାଣି ଛାଡିବାରେ ବିଳମ୍ବ ହେଉଛି। ତେଣୁ ତୁରନ୍ତ କେନାଲ କାର୍ଯ୍ୟ ସାରି ପାଣି ଛାଡ଼ିବା ପାଇଁ ଚାଷୀମାନେ ଦାବି କରିଛନ୍ତି।

Share