ବର୍ଷା ନାହିଁ, ଚାଷ କାର୍ଯ୍ୟରେ ବାଧା ଚାଷୀକୂଳ ହତାଶ

ତେଲକୋଇ, ୧୬।୭(ଡି.ଏନ.ଏ.)-ତେଲକୋଇ ବ୍ଲକର ଚାଷୀ ମାନେ ମୌସୁମୀ ବର୍ଷା ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରିଥାନ୍ତି। ତେବେ ମୌସୁମୀ ବର୍ଷାର ଅଭାବ ଯୋଗୁଁ ୯୦ପ୍ରତିଶତ ଚାଷ ଜମି ପଡିଆ ପଡିରହିଛି । ଏପରିକି ଧାନ ତଳି ହଳଦିଆ ହୋଇଯାଇଥିବା ବେଳେ ବହୁ ସ୍ଥାନରେ ଗାଇଗୋରୁ ଚାଷ ଜମିରେ ବୁଲୁଛନ୍ତି । କେତେକ ଧାନ ଜମି ଫାଟିବା ଆରମ୍ଭ ହୋଇଛି ଏଥଯୋଗୁ ଚାଷୀ କୂଳ ହତାଶ ହୋଇପଡିଛନ୍ତି। ଆଷାଢ ମାସ ଶେଷ ହେବାକୁ ବସିଥିବା ବେଳେ ବର୍ଷାର ଦେଖାନାହିଁ। ଜଳସେଚନର ଅଭାବ ଯୋଗୁଁ କେବଳ ମୌସୁମୀ ବର୍ଷା ଉପରେ ଏମାନେ ନିର୍ଭର କରିଥାନ୍ତି। ବ୍ଲକର ୨୨ଟି ପଞ୍ଚାୟତ ଅଧୀନରେ ୧୬ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷ ଜମି ରହିଛି । କୃଷି ବିଭାଗର ସୂଚନା ଅନୁଯାୟୀ ଚଳିତ ବର୍ଷ ଜୁନ-ଜୁଲାଇରେ ମାତ୍ର ୫୩ମି.ମି. ବର୍ଷା ହୋଇଛି । ତେବେ ୨୦୧୭-୧୮ମସିହା ଜୁନ ଜୁଲାଇରେ ବର୍ଷାର ପରିମାଣ ୧୮୨ମି.ମି ଥିଲା। ଏପରିସ୍ଥଳେ ଆବଶ୍ୟକ ବର୍ଷାର ଅଭାବ ଯୋଗୁଁ ଚାଷ କାର୍ଯ୍ୟରେ ଗୁରୁତର ବାଧା ଦେଖା ଦେଇଛି । ଆଗାମୀ ସପ୍ତାହରେ ବର୍ଷା ନ ହେଲେ ଧାନତଳି ସମ୍ପୂର୍ଣ୍ଣ ଉଜୁଡି ଯିବ ବୋଲି ଚାଷୀ ମାନେ କହିଛନ୍ତି । ଚାଷୀ ନାରାୟଣ ପ୍ରଧାନଙ୍କ କହିବାନୁଯାୟୀ ଚଳିତ ବର୍ଷ ବର୍ଷା ଯୋଗୁ ଧାନଚାଷ ଗୁରୁତର ପ୍ରଭାବିତ ହେବ। ସେହିପରି ରଥଯାତ୍ର ପରେ ପରେ ଚାଷୀ ଧାନ ରୁଆ, ବିହୁଡ଼ା ଆରମ୍ଭ କରିଥାନ୍ତି । ହେଲେ ଚଳିତ ବର୍ଷ ଚାଷ କାର୍ଯ୍ୟ ଆଦୌ ଆରମ୍ଭ କରାଯାଇ ପାରିନାହିଁ। ବ୍ଲକ କୃଷି ବିଭାଗର ଅଧିକାରୀ ପି. ହାଂସଦାଙ୍କୁ ପଚାରିବାରୁ ବର୍ଷା ନ ହେବାରୁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି । ହେଲେ ପାଣି ପାଗ ବିଭାଗ ସୂଚନା ଅନୁଯାୟୀ ଆଉ ୨/୩ ଦିନ ମଧ୍ୟରେ ବର୍ଷା ହେବ। ଚାଷୀଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି।

Share