Categories: ଅନୁଗୋଳ

ବର୍ଷା ନାହିଁ, ଚାଷ ଜମି ଫାଟି ଆଁ

ବଅଁରପାଳ, ୧୨।୭(ଡି.ଏନ.ଏ.)-ଅନୁଗୋଳ କୃଷି ଜିଲା ଅନ୍ତର୍ଗତ ବଅଁରପାଳ ବ୍ଲକରେ ଚଳିତ ବର୍ଷ ବର୍ଷା ଅଭାବ ବେଉଷଣ କାର୍ଯ୍ୟରେ ବାଧା ସାଜିଛି। ବିଲରେ ପାଣି ନ ଥିବାରୁ ବିହୁଡା କାର୍ଯ୍ୟ ହୋଇପାରୁ ନ ଥିବା ଦେଖାଦେଇଛି। ଏପରିକି ଅନେକ ଚାଷ ଜମିରେ ମାଟି ଫାଟି ଆଁ କରିଥିବାରୁ ଚାଷୀ ଚିନ୍ତାରେ ପଡିଛନ୍ତି।
ବଅଁରପାଳ କୃଷି ବିଭାଗ ସୂଚନା ଅନୁଯାୟୀ, ଚଳିତ ଖରିଫ ଋତୁରେ ମୋଟ ୧୦ ହଜାର ୯୪୫ ହେକ୍ଟର ଚାଷ ଜମିରେ ଧାନ ଚାଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବର୍ତ୍ତମାନ ସୁଦ୍ଧା ୪ ହଜାର ୨୩୦ ହେକ୍ଟର ଜମିରେ ବୁଣା କାର୍ଯ୍ୟ ଶେଷ ହୋଇଛି। ସେହିପରି ୫ ହଜାର ୮ ଶହ ହେକ୍ଟର ଜମିରେ ଧାନ ରୁଆ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ମାତ୍ର ବର୍ଷା ଅଭାବରୁ ଏ ପର୍ଯ୍ୟନ୍ତ ରୁଆ କାର୍ଯ୍ୟ ଆରମ୍ଭ ହୋଇନାହିଁ। ୨୮୨ ହେକ୍ଟର ଜମିରେ ବର୍ତ୍ତମାନ ସୁଦ୍ଧା ତଳି କାର୍ଯ୍ୟ ସମାପ୍ତି ହୋଇଛି। ବାହୁଡ଼ା ଯାତ୍ରା ମଧ୍ୟରେ କିମ୍ବା ପରେ ବିହୁଡ଼ା କାର୍ଯ୍ୟ ଆରମ୍ଭ ହୋଇଥାଏ। ମାତ୍ର ପାଣିର ଅଭାବ ଯୋଗୁ ଏହି କାମ ଆଗେଇ ପାରିନି। ବ୍ଲକର ବହୁ ଚାଷୀ ବର୍ଷା ଜଳ ଉପରେ ନିର୍ଭର କରୁଥିବାବେଳେ ଚଳିତ ବର୍ଷ ବର୍ଷାରେ ଅନିୟମିତତା ଦେଖା ଦେଇଛି। ଗତ ମେରେ ୫୫ ମିଲିମିଟର ବର୍ଷା ହୋଇଛି। ସେହିପରି ଗତ ଜୁନ୍‌ରେ ଆବଶ୍ୟକ ୨୨୫ ବଦଳରେ ୧୫୬ ମିଲିମିଟର ବର୍ଷା ହୋଇଛି। ଜୁଲାଇରେ ୩୪୭ ମିଲିମିଟର ବର୍ଷା ହେବା କଥା। ହେଲେ ଜୁଲାଇ ୧୦ ତାରିଖ ସୁଦ୍ଧା ୯୫.୯ ମିଲିମିଟର ବର୍ଷା ହୋଇଛି। ଅନ୍ୟପକ୍ଷରେ ଡେରଜାଙ୍ଗ ପ୍ରକଳ୍ପରୁ ୪ ହଜାର ୪୨୦ ହେକ୍ଟର ଜମିକୁ ଜଳସେଚିତ କରିବା ପାଇଁ ବ୍ୟବସ୍ଥା ରହିଛି। ହେଲେ ଏବେ ସୁଦ୍ଧା ପ୍ରକଳ୍ପରୁ ଜମିକୁ ପାଣି ମାଡ଼ିପାରିନାହିଁ। ଆଗକୁ ଆବଶ୍ୟକ ବର୍ଷା ନ ହେଲେ ଅଞ୍ଚଳରେ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବା ନେଇ ବୋଲି ଚାଷୀ ମହଲରେ ଆଶଙ୍କା ଦେଖାଦେଇଛି।
ଏ ସମ୍ପର୍କରେ ବଅଁରପାଳ କୃଷି ଅଧିକାରୀ ସୁମନ୍ତ ନାୟକଙ୍କୁ ଯୋଗାଯୋଗ କରିବାରେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଆବଶ୍ୟକ ମୁତାବକ ବର୍ଷା ହୋଇନାହିଁ। ବହୁ ଜମିରେ ଯେତିକି ପାଣି ରହିବା କଥା ସେତିକି ରହିପାରିନି। ଆସନ୍ତା ୨୦ ତାରିଖ ସୁଦ୍ଧା ବର୍ଷା ହେବ ବୋଲି ଆଶା କରାଯାଉଛି। ବର୍ଷା ନ ହେଲେ ନିଶ୍ଚିତ ଭାବେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ସେ କହିଛନ୍ତି।