ବର୍ଷା ନାହିଁ, ଜଳିଗଲାଣି ଧାନ ଗଛ

ପଦ୍ମପୁର, ୨୫।୭ (ଡି.ଏନ.ଏ): ଧାରା ଶ୍ରାବଣରେ ବର୍ଷାର ଦେଖାନାହିଁ । ନିଖୋଜ ହୋଇଯାଇଛି ମୌସୁମୀ । ଆକାଶରେ ମେଘ ଗର୍ଜୁଛି ହେଲେ ବରଷୁ ନାହିଁ । ଦିନରେ ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ଏଭଳି ପାଗ ପଦ୍ମପୁର ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଏପରି ଅବସ୍ଥା ଯଦି ଆଉ ସପ୍ତାହେ ଲାଗି ରହେ ତେବେ ଚାଷୀକୂଳ ସମ୍ପୂର୍ଣ୍ଣ ମରୁଡି ପ୍ରଭାବିତ ହେବେ । ଧାନ ବେଉଷୁଣ ସମୟରେ କ୍ଷେତରେ ପାଣି ନାହିଁ । ଛୋଟ ଛୋଟ ଧାନ ଗଛର ପତ୍ର ପୋଡିଯାଉଛି । ଅନେକ ତଳି ଧାନ ଲାଲ ହୋଇ ନଷ୍ଟ ହେବା ଆରମ୍ଭ ହେଲାଣି । ଫଳରେ ପଦ୍ମପୁର କୃଷି ଜିଲାର ପଦ୍ମପୁର, ପାଇକମାଳ ଓ ଝାରବନ୍ଧ ବ୍ଲକରେ କୃଷି ବିଭାଗ ପକ୍ଷରୁ ହୋଇଥିବା ଲକ୍ଷ୍ୟଧାର୍ଯ୍ୟ ପୂରଣ ହୋଇ ପାରୁନାହିଁ। ବିଭାଗ ପକ୍ଷରୁ ପଦ୍ମପୁର ବ୍ଲକରେ ୨୧ ହଜାର ୪୯୯ ହେକ୍ଟର, ପାଇକମାଳ ବ୍ଲକରେ ୨୮ ହଜାର ୫୯୯ ହେକ୍ଟର ଓ ଝାରବନ୍ଧ ବ୍ଲକରେ ୧୫ ହଜାର ୫୫୦ ହେକ୍ଟର ଜମିରେ ଧାନ ଚାଷର ଲକ୍ଷ୍ୟଥିବା ବେଳେ ବର୍ଷା ଅଭାବରୁ ପ୍ରାୟ ୫୦ ପ୍ରତିଶତ ଧାନ କ୍ଷେତ ପ୍ରଭାବିତ ହୋଇଥିବା ଜିଲା କୃଷି ଅଧିକାରୀ ବ୍ରଜ କିଶୋର ଲେଙ୍କା କହିଛନ୍ତି ।