ବର୍ଷା, ପବନରେ ଉପୁଡିଲା ଶତାଧିକ ଗଛ, ଭାଙ୍ଗିଲା ୮ ଘର

ପଡିଆ, ୧୨ା୮-ମାଲକାନଗିରି ଜିଲା ପଡିଆ ବ୍ଲକ ଅନ୍ତର୍ଗତ ମାଟେରୁ ପଞ୍ଚାୟତ ମାଢିଗୁଡାରେ ରବିବାର ଅପରାହ୍ନରେ ପ୍ରବଳ ବର୍ଷା ଓ ପବନ ଯୋଗୁ ଶତାଧିକ ଗଛ ରାସ୍ତା ଏବଂ ଘର ଉପରେ ପଡିଥିବା ଜଣାପଡିଛି। ଏଥିରେ ୮ଟି ପରିବାରର ଘର ଭାଙ୍ଗି ଯାଇଛି । ଗ୍ରାମର କୁଞ୍ଜାମି ଦୁଲାଙ୍କ ପରିବାର ଜମିରେ ଧାନ ରୋଇବାକୁ ଯାଇଥିଲେ। ବର୍ଷା ପବନ ପରେ ଘରକୁ ଫେରିବା ବେଳକୁ ସେମାନଙ୍କ ଘର ଉପରେ ଗଛ ପଡି ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ପାଇଥିଲେ। ଗଛ ପଡିବା ସମୟରେ ଘରେ କେହି ନ ଥିବାରୁ ସମସ୍ତେ ବିପଦରୁ ରକ୍ଷା ପାଇଯାଇଥିଲେ। ଆସବାବପତ୍ର ଧାନ,ଚାଉଳ, ଲୁଗାପଟା ସହ ସମସ୍ତ ଜିନିଷପତ୍ର ବର୍ଷାରେ ନଷ୍ଟ ହୋଇଯାଇଛି। ଗ୍ରାମର କିଛି ଲୋକ ସେମାନଙ୍କୁ ଅନ୍ୟ ଲୋକଙ୍କ ଘରେ ଆଶ୍ରୟ ନେଇଥିଲେ। ସେହିପରି ନନ୍ଦା କୁଞ୍ଜାମି, ମୁଇଆ କମରାମି, ଶରତ କାମାରାମି, ଦେବା ମାଢି, ପଡିକା କାମରାମିଙ୍କ ଘର ଅଧା ଭାଙ୍ଗଛି। ଘରର ଛପର ଉଡିଯାଇଛି। ଆଖପାଖ ଗ୍ରାମରେ ମଧ୍ୟ ଅନେକ ଲୋକଙ୍କ ଘର ବର୍ଷାପବନରେ ଭାଙ୍ଗିଛି। ଗୋରୁଗୁହାଳ କ୍ଷତିଗ୍ରସ୍ତ ହୋଇଛି। ତେବେ ପ୍ରଶାସନ ପକ୍ଷରୁ କାହାର ପାଦ ଗ୍ରାମରେ ପଡିନି। ପ୍ରଶାସନ ତୁରନ୍ତ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।