ବର୍ଷା, ପବନରେ ଦାରିଙ୍ଗବାଡ଼ି ବେହାଲ : ତହସିଲଦାର, ବିଡିଓଙ୍କ ଘଟଣାସ୍ଥଳ ପରିଦର୍ଶନ

ଦାରିଙ୍ଗବାଡ଼ି,୨୦।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ହୋଇଥିବା ବର୍ଷା, ପବନ ଏବଂ କୁଆପଥର ବୃଷ୍ଟିରେ ଅଞ୍ଚଳ ବେହାଲ ହୋଇପଡ଼ିଛି । ଏଥିରେ ବହୁ ଘର ଭାଙ୍ଗିବା ସହ କୁଆପଥର ମାଡ଼ରେ ଆଜବେଷ୍ଟ ଭାଙ୍ଗି ଯାଇ ଘରେ ପାଣି ପଶି ବହୁ କ୍ଷୟକ୍ଷତି ହୋଇଛି । ଉକ୍ତ ବ୍ଳକର ଦାରିଙ୍ଗବାଡ଼ି ସମେତ ଆଖପାଖ ସିମନବାଡ଼ି, କିରିକୁଟି, ତିଲୋରୀ, ସବୁଠାରୁ ଅଧିକ ଶ୍ରାନିକେତା ପଞ୍ଚାୟତର ଶ୍ରାନିକେତା, ଦଣ୍ଡିମା, ସୁଲୁମାହା, ଡବୁଲୁମାହା ଆଦି ଅଞ୍ଚଳରେ କ୍ଷତି ଘଟିଛି । କ୍ଷତିଗ୍ରସ୍ତ ଲୋକମାନେ ରାଜସ୍ବ ନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ । ଖବରପାଇ ଦାରିଙ୍ଗବାଡ଼ି ପୋଲିସ ଗୁରୁବାର ସନ୍ଧ୍ୟାରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଶୁକ୍ରବାର ଦାରିଙ୍ଗବାଡ଼ି ତହସିଲଦାର ନୀତୀଶ ତ୍ରିପାଠୀ, ବିଡିଓ ମାତାରାମ ଲେୟାଙ୍ଗି ପ୍ରମୁଖ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତିି । ପ୍ରାଥମିକ ଭାବେ ଘର ଛପର ଉଡ଼ିଥିବା ଏବଂ ଆଜବେଷ୍ଟସ ଭାଙ୍ଗିଥିବା ପରିବାର ଲୋକଙ୍କୁ ପଲିଥିନ ଯୋଗାଇ ଦିଆଯାଉଥିବା ତହସିଲଦାର ତ୍ରିପାଠୀ ସୂଚନା ଦେଇଛନ୍ତି ।
ମଧ୍ୟରାତ୍ରିରେ ମଧ୍ୟ ପବନ ସହ ଘଡ଼ଘଡ଼ି, ବିଜୁଳି ପ୍ରବଳମାତ୍ରାରେ ହେବା ଯୋଗୁ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ଭାଙ୍ଗିଯିବା ସହ ରୁତୁଙ୍ଗିଆରେ ସବ୍‌ଷ୍ଟେଶନ ଭାଙ୍ଗି ତଳେ ପଡ଼ି ଯାଇଛି । ଏ ନେଇ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇପାରିନାହିଁ । ଫଳରେ ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତର ପ୍ରାୟ ୪୦ ହଜାର ଲୋକ ଅନ୍ଧାରେ ରହିଛନ୍ତି ।