ବର୍ଷା ପରେ ବଢ଼ିଲା ଦୁର୍ଦ୍ଦଶା

ବନ୍ତ,୭।୧(ସ୍ବ.ପ୍ର.)-ଚଳିତବର୍ଷ ପ୍ରଥମେ ଫନୀ, ପରେ ବୁଲବୁଲ ଆଉ ଏବେ ଦାଉ ସାଧିଲା ବର୍ଷା। ଗତ ନଭେମ୍ବରରେ ବୁଲବୁଲ୍‌ ବାତ୍ୟାରେ ଧାନ ଫସଲ ନଷ୍ଟ ହୋଇଥିଲା। ଏ ପର୍ଯ୍ୟନ୍ତ ଚାଷୀମାନଙ୍କୁ କ୍ଷତିପୂରଣ ମିଳି ନ ଥିବାବେଳେ ଏବେ ଅଦିନିଆ ବର୍ଷା ମାଡ଼। ବର୍ତ୍ତମାନ ସୁଦ୍ଧା ବନ୍ତ ବ୍ଲକର ଅର୍ଦ୍ଧାଧିକ ଚାଷଜମିରେ ଧାନ ଅମଳ ହୋଇପାରି ନାହିଁ। କେତେକ ସ୍ଥାନରେ ଚାଷୀମାନେ ଧାନ କାଟି କ୍ଷେତରେ ପକାଇଥିବାବେଳେ ଆଉ କେତେକ ଚାଷଜମିରୁ କଟା ଧାନ ଆଣି ଖଳାରେ ରଖିଛନ୍ତି। ଅମଳ ସମୟରେ ହୋଇଥିବା ବର୍ଷାରେ ଜମି ଓ ଖଳାରେ ଥିବା ଧାନ ଭିଜି ନଷ୍ଟ ହୋଇଯାଇଛି। ବର୍ଷା ସିନା ଛାଡ଼ିଗଲା କିନ୍ତୁ ଏବେ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। କଟା ଧାନ ଥିବା ଜମିରେ ବର୍ଷା ପାଣି ଜମି ରହିଛି। ଚାଷୀମାନେ ସେମାନଙ୍କ କଷ୍ଟ ଉପାର୍ଜିତ ଧାନ ଫସଲକୁ ସୁରକ୍ଷିତ ରଖିବା ପାଇଁ ଦିନରାତି ଲାଗିପଡ଼ିଛନ୍ତି। ବର୍ଷାରେ ଭିଜି ଯାଇଥିବା ଧାନ ଗଜା ହୋଇଯିବା ଆଶଙ୍କାରେ ସେମାନେ ଜମିରୁ ଆଣି ଖରାରେ ଶୁଖାଉଛନ୍ତି।
ସ୍ଥାନୀୟ କେତେଜଣ ଚାଷୀ କହିଛନ୍ତି ଯେ, ଧାନ ପାଚିବା ସମୟରେ ବାତ୍ୟା ବୁଲ୍‌ବୁଲ୍‌ ଯୋଗୁ ପାଣିରେ ଧାନକେଣ୍ଡା ପଡ଼ି ଅଧିକାଂଶ ଜମିରେ ଫସଲ ନଷ୍ଟ ହୋଇଥିଲା। ଅମଳ ସମୟରେ ଗତ ଡିସେମ୍ବର ୨୬ରେ ବର୍ଷା ହେବା ପରେ କିଛି ପରିମାଣରେ ଫସଲ ସୁରକ୍ଷିତ କରିଥିବାବେଳେ ପୁଣି ଗତ ୩ ତରିଖରେ ବର୍ଷା ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି। ଜମିରେ କଟା ହୋଇପଡ଼ିଥିବା ଧାନ କଳେଇ ଓ ଖଳାରେ ଥିବା ଧାନ ଏବେ ଗଜା ହେବାର ବହୁ ଆଶଙ୍କା ରହିଥିବାବେଳେ ମଣ୍ଡିରେ ବିକ୍ରି କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବ। ମାଟି ଓଦା ହେବାରୁ କଟା ହେବାକୁ ଥିବା ଜମିରେ ହାରଭେଷ୍ଟର ମେଶିନ ପଶିପାରୁ ନ ଥିବା କାରଣରୁ ଧାନ ଅମଳ ଆହୁରି ବିଳମ୍ବ ହେବ। ବହୁ ପରିଶ୍ରମରେ ଉପାର୍ଜିତ ଫସଲ ଅମଳରେ ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଦାଉ ସାଧୁଥିବାରୁ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସେମାନେ ପ୍ରକାଶ କରିଛନ୍ତି।

Share