ବର୍ଷା ପାଇଁ ସମ୍ବଲପୁର-ଟିଟିଲାଗଡ଼ ସେକ୍ସନରେ ସେବା ବ୍ୟାହତ: ୯ ଟ୍ରେନ ବାତିଲ, ୧୧ଟିର ଗତିପଥ ବଦଳିଲା

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ସୋମବାର ରାତିରୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଅବିରତ ବର୍ଷା ଯୋଗୁ ବିଶେଷକରି ପଶ୍ଚିମ ଓଡ଼ିଶାରେ ବନ୍ୟା ପରିସ୍ଥିତି ଉପୁଜିଛି। ଫଳରେ ସମ୍ବଲପୁର-ଟିଟିଲାଗଡ଼ ରେଳ ସେକ୍ସନରେ ସେବା ବ୍ୟାହତ ହୋଇଛି। ଅଧିକାଂଶ ସ୍ଥାନରେ ରେଳ ଧାରଣା ଉପରେ ପାଣି ପ୍ରବାହିତ ହେଉଛି। ଟ୍ରେନ ଓ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ସେକ୍ସନରେ ୯ ଟ୍ରେନକୁ ବାତିଲ୍‌ କରାଯାଇଥିବାବେଳେ ୩ଟିର ଆଂଶିକ ବାତିଲ୍‌ ଓ ୧୧ ଟ୍ରେନର ଗତିପଥ ବଦଳାଯାଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ମିଳିଥିବା ସୂଚନାନୁସାରେ, ଦେଓଗଁା ରୋଡ୍‌-ବରଗଡ଼, ଲୋଇସିଂହା-ବଲାଙ୍ଗୀର, ବରପାଲି-ଡୁଙ୍ଗୁରିପାଲି ଷ୍ଟେଶନ ମଧ୍ୟରେ ରେଳ ଧାରଣାରେ ପାଣି ଚାଲୁଛି। ଏଥିପାଇଁ ୩ ଏକ୍ସପ୍ରେସ ଓ ୬ ପାସେଞ୍ଜର ଟ୍ରେନକୁ ୧୪ରୁ ୧୭ ତାରିଖ ଯାଏ ବାତିଲ କରାଯାଇଛି। ବାତିଲ ଟ୍ରେନ୍‌ଗୁଡିକ ହେଲା ରାଉରକେଲା-ଜଗଦଲପୁର ଏକ୍ସପ୍ରେସ, ସମ୍ବଲପୁର-ରାୟଗଡା ଏକ୍ସପ୍ରେସ, ରାଉରକେଲା- ପୁରୀ-ରାଉରକେଲା ଏକ୍ସପ୍ରେସ୍‌, ଜଗଦଲପୁର-ରାଉରକେଲା ପାସେଞ୍ଜର, ଦୁର୍ଗ-ବିଶାଖାପାଟଣା ପାସେଞ୍ଜର, ଟିଟିଲାଗଡ଼-ବିଳାସପୁର ପାସେଞ୍ଜର, ସମ୍ବଲପୁର-କୋରାପୁଟ ପାସେଞ୍ଜର, କୋରାପୁଟ- ସମ୍ବଲପୁର ପାସେଞ୍ଜର, ସମ୍ବଲପୁର-ଜୁନାଗଡ଼ ରୋଡ ପାସେଞ୍ଜର, ଜୁନାଗଡ଼ ରୋଡ୍‌-ସମ୍ବଲପୁର ପାସେଞ୍ଜର। ଅନ୍ୟପକ୍ଷରେ ହାଓଡ଼ା-ଟିଟିଲାଗଡ଼ ଏକ୍ସପ୍ରେସ ସମ୍ବଲପୁର ଓ ଟିଟିଲାଗଡ ମଧ୍ୟରେ, ହାଓଡା-ଜଗଦଲପୁର ଏକ୍ସପ୍ରେସ ସମ୍ବଲପୁର ଓ ଜଗଦଲପୁର ମଧ୍ୟରେ ଏବଂ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ ସମ୍ବଲପୁର ଓ ବଲାଙ୍ଗୀର ମଧ୍ୟରେ ବାତିଲ୍‌ ରହିବ। ସେହିପରି ଧାନବାଦ-ଆଲେପି ଏକ୍ସପ୍ରେସ, ହଟିଆ-ଯଶୋବନ୍ତପୁର ଏକ୍ସପ୍ରେସ, ସୁରଟ-ପୁରୀ ଏକ୍ସପ୍ରେସ ଆଦି ୧୧ ଟ୍ରେନର ଗତିପଥ ବଦଳାଯାଇଛି ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି।

Share