ବର୍ଷା ବିତ୍ପାତ: ବ୍ରହ୍ମପୁର ଜଳମଗ୍ନ

ବ୍ରହ୍ମପୁର ଅଫିସ,୨୫ା୧୦- ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବୁଧବାରରୁ ଗଞ୍ଜାମ ଜିଲାରେ ବର୍ଷା ଜାରି ରହିଛି ା ଗୋପାଳପୁର ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଗୁରୁବାର ସକାଳ ୮.୩୦ ସୁଦ୍ଧା ଗଞ୍ଜାମ ଜିଲାରେ ୧୦୪.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଅପରାହ୍ନ ୨.୩୦ ସୁଦ୍ଧା ଆଉ ୪୮ ମି.ମି. ବର୍ଷା ରେକର୍ଡ କରାଯାଇଛି। ଶୁକ୍ରବାର ବର୍ଷା ପରିମାଣ କମିବାକୁ ଥିବା ବେଳେ ଶନିବାର ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଇନ୍‌ଚାର୍ଜ ରଥ ମାରାଣ୍ଡି ସୂଚନା ଦେଇଛନ୍ତି ା ଅନ୍ୟପଟରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ରେଶମସହର ବ୍ରହ୍ମପୁର ଜଳମଗ୍ନ ହୋଇଯାଇଛି। ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିଲା। ଗଜପତିନଗର ମୁଖ୍ୟରାସ୍ତାରେ ପ୍ରାୟ ୨ ଫୁଟରୁ ଊର୍ଦ୍ଧ୍ୱ ଉଚ୍ଚତାର ନଦ୍ଦର୍ର୍ମା ମିଶା ଜଳ ଦୀର୍ଘ ସମୟ ଧରି ଜମି ରହି ଘରେ ପଶିଥିବା ଦେଖିବାକୁ ମିଳିଥିଲା ା ଡ୍ରେନ୍‌ ସଫେଇରେ ଅବହେଳା ଯୋଗୁ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ା ସେହିପରି ନୀଳାଚଳ ନଗର, ଶରଧାବାଲି ଅଞ୍ଚଳ ମଧ୍ୟ ବର୍ଷାରେ ଜଳମଗ୍ନ ହେବା ସହ ଘର ଭିତରକୁ ପାଣି ପଶିଥିବା ଦେଖିବାକୁ ମିଳିଥିଲା ା ଗାନ୍ଧୀନଗର ୭ମ ଗଳିଠାରୁ ୧୦ମ ଗଳି ପର୍ଯ୍ୟନ୍ତ ଅଞ୍ଚଳ ଜଳମଗ୍ନ ହେବା ଫଳରେ ସେହି ଅଞ୍ଚଳକୁ ଯାତାୟାତ ବ୍ୟାହତ ହୋଇଥିଲା ା ଲୋଚାପଡା ମୁଖ୍ୟରାସ୍ତା, ଆସ୍କାରୋଡ, ସେଲଟ୍ୟାକ୍ସ ଛକ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ ପ୍ରବାହିତ ହେବା ଫଳରେ ଦୀର୍ଘ ସମୟ ଧରି ଯାତାୟାତ ପ୍ରଭାବିତ ହୋଇଥିଲା ା ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୧ ନମ୍ବର ୱାର୍ଡ ଲକ୍ଷ୍ମୀନୃସିଂହ ସାହି, ଲୋଚାପଡା ଶକ୍ତିନଗର ପ୍ରଥମ, ଦ୍ୱିତୀୟ, ଚତୁର୍ଥ ଗଳି, ଖାରବେଳ ନଗର ବସ୍ତିଅଞ୍ଚଳର ରାସ୍ତା ଓ ଘର ମଧ୍ୟରେ ବର୍ଷାଜଳ ପଶିଥିବା ଦେଖିବାକୁ ମିଳିଥିଲା ା ସ୍ବଳ୍ପ ବର୍ଷାରେ ପୂର୍ବରୁ ବହୁବାର ସହରର ଉପରୋକ୍ତ ଅଞ୍ଚଳରେ ଡ୍ରେନେଜ ସମସ୍ୟା ଯୋଗୁ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ବିଏମ୍‌ସି ପକ୍ଷରୁ ଏନେଇ ପୂର୍ବ ପ୍ରସ୍ତୁତି କରାଯାଉ ନାହିଁ। ବାରମ୍ବାର ଏନେଇ ଅଞ୍ଚଳବସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିବା ସତ୍ତ୍ୱେ ଡ୍ରେନ୍‌ ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟରେ ନିଗମର ଅବହେଳା, ସହରର ଦୁଇ ବୃହତ୍‌ନାଳ ବାହାନା ଓ ସାପୁଆର ପୁନରୁଦ୍ଧାର କାର୍ଯ୍ୟରେ ଅବହେଳା ଯୋଗୁ ଏଭଳି କୃତ୍ରିମ ବନ୍ୟା ପରିସ୍ଥିତି ବାରମ୍ବାର ଦେଖା ଦେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

Share