Categories: ଗଞ୍ଜାମ

ବର୍ଷା ବିତ୍ପାତ : ସ୍କୁଲ ଛୁଟି ; ବିଳମ୍ବ ନିଷ୍ପତ୍ତି ଯୋଗୁ ହଇରାଣ

ବ୍ରହ୍ମପୁର ଅଫିସ୍‌,୨୬ା୯-ଓଡ଼ିଶା ଉପକୂଳରେ ସୃଷ୍ଟ ପୂର୍ଣ୍ଣିବଳୟ ପ୍ରଭାବରେ ଗତ ୩ ଦିନ ହେଲା ବର୍ଷା ଲାଗି ରହିଛି । ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ଼ କରାଯାଇଛି। ବର୍ଷା ଦେଖି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଗୋଟିଏ ଦିନ ପାଇଁ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ହେଲେ ଛୁଟି ନିଷ୍ପତ୍ତି ଘୋଷଣାରେ ବିଳମ୍ବ ହେବା ଯୋଗୁ ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ନାହିଁ ନ ଥିବା ଅସୁବିଧାର ସମ୍ମଖୀନ ହୋଇଥିଲେ। ବୁଧବାର ଭୋର୍‌ରୁ ହିଁ ବ୍ରହ୍ମପୁର ସହର ସମେତ ଜିଲାରେ ଅବିଶ୍ରାନ୍ତ ବର୍ଷା ଦେଖିବାକୁ ମିଳିଥିଲା । ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା। ଜିଲା ଶିକ୍ଷା ଅଧିକାରୀ ଡ. ସନାତନ ପଣ୍ଡା ସକାଳ ପ୍ରାୟ ୭ଟା ୨୦ମିନିଟ୍‌ରେ ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରିଥିଲେ । କିନ୍ତୁ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ସ୍କୁଲରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସ୍କୁଲ ଛୁଟି ଘୋଷଣାରେ ବିଳମ୍ବ ଯୋଗୁ ନାନା ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଇଂଲିଶ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ସାଧାରଣତଃ ସକାଳ ୭ଟାରେ ଖୋଲିଥାଏ। ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ୭ଟା ପୂର୍ବରୁ ସ୍କୁଲରେ ଛାଡିଥାନ୍ତି। ଏଣୁ ପିଲାଙ୍କୁ ଛାଡ଼ି ଘରେ ପହଞ୍ଚିବା ପରେ ଛୁଟି ବିଷୟରେ ଜାଣିବାକୁ ପାଇଥିଲେ। ଫଳରେ ପୁଣି ଥରେ ସ୍କୁଲକୁ ଯାଇ ପିଲାଙ୍କୁ ଘରକୁ ଆଣିଥିଲେ। ଏହାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।
କେବଳ ବୁଧବାର ନୁହେଁ, ପୂର୍ବରୁ ମଧ୍ୟ ବହୁଥର ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଏଣୁ ଯଦି ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯାଉଛି, ତେବେ ଅନ୍ତତଃ ପୂର୍ବଦିନ ଘୋଷଣା କରାଯାଉ ବୋଲି ଅଭିଭାବକମାନେ ଦାବି କରିଛନ୍ତି ।