ବର୍ଷା ସାଜିଛି ବାଧକ, ଚାଷ ଆଗେଇ ପାରୁନି୨ ମାସରେ ୪୦୫ ମି.ମି. ବର୍ଷା ହୋଇଛି

କର୍ଲାମୁଣ୍ଡା,୬।୮(ଡି.ଏନ.ଏ.)
ଦିନକୁ ଦିନ ଗଡି ଚାଲିଥିଲେ ହେଁ ବର୍ଷା ହେଉ ନ ଥିବାରୁ ଚାଷୀଙ୍କ ଚାଷ କାର୍ଯ୍ୟ ଏବେ ଠପ୍‌ ହୋଇଯାଇଛି । କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । କର୍ଲାମୁଣ୍ଡା ବ୍ଲକ କୃଷି ବିଭାଗଠାରୁ ମିଳିଥିବା ତଥ୍ୟ ମୁତାବକ ଏହି ବ୍ଲକରେ ମୋଟ ୭୮୦୦ ହେକ୍ଟର ଧାନ ଚାଷ ଜମି ରହିଛି । ଏଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୬୫୦ ହେକ୍ଟର ବୁଣା ଓ ୩୦୦ ହେକ୍ଟର ଧାନ ତଳି (ନର୍ସରି) ପଡିଛି । ତେବେ ଆବଶ୍ୟକ ସମୟରେ ବର୍ଷା ହେଉ ନ ଥିବାରୁ ଚାଷୀଙ୍କ ଚାଷ କାର୍ଯ୍ୟ ଆଗେଇ ପାରୁ ନ ଥିବା ଚାଷୀ ରାମ ପ୍ରସାଦ ସାହୁ କହିଛନ୍ତି । ଅନ୍ୟପଟେ ପାଣିପାଗ ରିପୋର୍ଟ ଅନୁଯାୟୀ ଗତ ଜୁନରେ ୧୨୬ ମି.ମି., ଜୁଲାଇ ମାସରେ ୨୭୫.୪୦ ମି.ମି. ଓ ଅଗଷ୍ଟ ମାସ ପ୍ରଥମ ସପ୍ତାହ ସୋମବାର ସୁଦ୍ଧା ମାତ୍ର ୪ ମି.ମି. ବର୍ଷା ହୋଇଛି । ଫଳରେ ଚାଷୀଙ୍କ ପାଇଁ ଜୁଲାଇ ଶେଷ ସପ୍ତାହ ଓ ଅଗଷ୍ଟ ପ୍ରଥମ ସପ୍ତାହରେ ଦରକାର ପଡୁଥିବା ବର୍ଷା ପାଣି ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି । ବିଶେଷ ଭାବେ ଏହି ବ୍ଲକର ରିଞ୍ଜା, କର୍ଲାମୁଣ୍ଡା, ସ-ମାଲପଡା, ଯୋରାବେରା, ରେଗଡା, ସାପଲହରା, ଗଜବାହାଲ, ପୌରକେଲା, ତେରେସିଙ୍ଗା, ରିଷିଡା ପଞ୍ଚାୟତ ଗୁଡିକର ଅଧିକାଂଶ ଗାଁରେ ଚାଷୀଙ୍କ ଚାଷ କାର୍ଯ୍ୟ ହୋଇ ପାରି ନ ଥିବା ଦେଖିବାକୁ ମିଳିଛି । ଉତେଇ ଜଳସେଚନ ବ୍ୟବସ୍ଥା ରହିଥିଲେ ହେଁ କମ ବର୍ଷା ହେତୁ କେନାଲଗୁଡିକରେ ଆବଶ୍ୟକ ମୁତାବକ ପାଣି ଆସି ପାରୁନାହିଁ । ଏବେଠୁ ବର୍ଷା ଜଳ ସଂରକ୍ଷଣ ଦିଗରେ ବ୍ଲକ ପ୍ରଶାସନ ପଞ୍ଚାୟତଗୁଡିକରେ ଯୋଜନାମାନ ପ୍ରସ୍ତୁତ କରାଯାଇ କାର୍ଯ୍ୟକ୍ଷମ କରାଯାଇ ପାରିଲେ ମରୁଡିର ମୁକାବିଲା କରାଯାଇ ପାରନ୍ତା ବୋଲି ବୃଦ୍ଧିଜୀବି ମହଳଲରେ ମତ ପ୍ରକାଶ ପାଇଛି।

ଫଟୋ:

Share