Advertisement

ବର୍ଷିଲା ଭାଜପା: ତଥ୍ୟ ନଷ୍ଟ କରିବାକୁ ବିବାଦୀୟ ଅତିଥି ଭବନକୁ ଜାଣିଶୁଣି ଭାଙ୍ଗିଛି ଜିଲା ପ୍ରଶାସନ

ଭୁବନେଶ୍ୱର,୮।୨(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଅତିଥି ଭବନକୁ ଭାଙ୍ଗିବା ନେଇ ଭାଜପା ବର୍ଷିଛି। ଶନିବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ତଥ୍ୟ ଲୁଚାଇବାକୁ ଉକ୍ତ ଅତିଥି ଭବନକୁ ଯାଜପୁର ଜିଲା ପ୍ରଶାସନ ଜାଣିଶୁଣି ଭାଙ୍ଗିଛି। ଏପର୍ଯ୍ୟନ୍ତ ଘଟଣାର ତଦନ୍ତ ସରିନାହିଁ, ହେଲେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ହେଉଛି। ସେହିଭଳି ଜବତ ସାମଗ୍ରୀ ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସ୍ତ୍ରୀଙ୍କୁ ହସ୍ତାନ୍ତର ହୋଇଥିବା ବେଳେ କାହିଁକି ଜବତ ହେଲାନାହିଁ। ଉକ୍ତ ଘରର ସିସିଟିଭି କୁଆଡ଼େ ଗଲା ତାହା ସ୍ପଷ୍ଟ କରାଯାଉ। ଏସ୍‌ପି ନିରପେକ୍ଷ ତଦନ୍ତ କରିନାହାନ୍ତି। ଘଟଣାରେ କେବଳ ଆର୍‌ଆଇଙ୍କୁ ନିଲମ୍ବନ କରାଯାଇଛି। ହେଲେ ଏଥିରେ ତହସିଲଦାର, ବିଡିଓଙ୍କର ମଧ୍ୟ ସମ୍ପର୍କ ରହିଛି। ସ୍ମିତାରାଣୀ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ସିବିଆଇ ତଦନ୍ତ ଦାବି କରାଯାଇଥିଲା, ତାହା ହୋଇନାହିଁ। ଏପରିକି ମହିଳା କମିଶନ ଅଧ୍ୟକ୍ଷାଙ୍କ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ସୁପାରିସ ବି ହେଲାନି ବୋଲି ଲେଖାଶ୍ରୀ କହିଛନ୍ତି।

ଶୁକ୍ରବାର ଜିଲା ପ୍ରଶାସନ ଅଭିଯୁକ୍ତ ରୂପେଶଙ୍କ ନାମରେ ଥିବା ବିବାଦୀୟ ଅତିଥି ଭବନକୁ ଭାଙ୍ଗି ଦେଇଥିଲା। ଫଳରେ ଦୁଇ ମହଲା ବିଶିଷ୍ଟ ଏହି ବେଆଇନ କୋଠା ଏବେ ମାଟିରେ ମିଶିଯାଇଛି। ସ୍ମିତାରାଣୀଙ୍କ ମୃତ୍ୟୁର ଏକମାତ୍ର ସାକ୍ଷୀ ଥିବା ଏହି ଅତିଥି ଭବନ ଭଙ୍ଗାଯିବାକୁ ତାଙ୍କ ପରିବାରଲୋକେ ନାପସନ୍ଦ କରିଥିଲେ। ଏହାଦ୍ୱାରା ସେଥିରେ ଥିବା ସମସ୍ତ ପ୍ରମାଣ ନଷ୍ଟ ହୋଇଗଲା ବୋଲି ସେମାନେ କହିଛନ୍ତିି।

ପ୍ରକାଶ ଯେ, ପିଇଓ ସ୍ମିତାରାଣୀ ଅଭିଯୁକ୍ତ ରୂପେଶଙ୍କ ସହ ଚାରିବାଟିଆ ଗ୍ରାମକୁ ଭତ୍ତା ବାଣ୍ଟିବାକୁ ଯାଇଥିଲେ। ଭତ୍ତା ବାଣ୍ଟି ସାରିବା ପରେ ସେ ଅପରାହ୍ନରେ ବେଆଇନ ଅତିଥିଭବନକୁ ମଧ୍ୟାହ୍ନଭୋଜନ କରିବାକୁ ଯାଇଥିଲେ। ମାତ୍ର ସେଠାରେ ଏକ କୋଠରିରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share