ବର୍ଷେ ଘୁଞ୍ଚିଲା ଟୋକିଓ ଅଲିମ୍ପିକ୍ସ

ଲାଉସାନେ,୨୪।୩(ଏଏଫ୍‌ପି)- କୋଭିଡ -୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱର ସର୍ବଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। କରୋନା ଭାଇରସ୍‌ ସାରା ବିଶ୍ୱରେ ମହାମାରୀରେ ପରିଣତ ହୋଇଥିବାରୁ ଅଲିମ୍ପିକ୍ସକୁ ବର୍ଷେ ଘୁଞ୍ଚାଇ ଦିଆଯାଇଛି ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଘୋଷଣା କରିଛି। ଟୋକିଓରେ ଅଲିମ୍ପିକ୍ସ ପୂର୍ବରୁ ଆସନ୍ତା ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା।

ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଓ ଆଇଓସି ଅଧ୍ୟକ୍ଷ ଥୋମାସ ବାକ୍‌ ଟେଲିଫୋନରେ ବିସ୍ତୃତ ଭାବେ ଆଲୋଚନା କରି ଶେଷରେ ମିଳିତ ଭାବେ ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱରେ ବର୍ତ୍ତମାନ ଶାନ୍ତି ବିରାଜମାନ ଥିବା ବେଳେ ପ୍ରଥମଥର ପାଇଁ ଅଲିମ୍ପିକ୍ସ ଘୁଞ୍ଚାଯାଇଛି। ଏକ ମିଳିତ ବିବୃତିରେ ଆବେ ଓ ବାକ ଏ ନେଇ ଘୋଷଣା କରିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍‌ଓ) ସୂଚନାକୁ ପାଥେୟ କରି ଏହି ନିଷ୍ପତ୍ତି ନିଆଯାଇଛି ଓ ଏହି ମେଗା ଇଭେଣ୍ଟକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ୨୦୨୧ ଗ୍ରୀଷ୍ମ ପୂର୍ବରୁ ଅଲିମ୍ପିକ୍‌ ଆୟୋଜନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆଥଲେଟ ଓ ଅଲିମ୍ପିକ୍‌ ସହ ଜଡିତ ଥିବା ଲୋକଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେବାକୁ ହେଲା ବୋଲି ବିବୃତିରେ କୁହାଯାଇଛି।

Share