Categories: ଖେଳ

ବଲବୀର ସିଂଙ୍କୁ ଭାରତ ରତ୍ନ ପାଇଁ ଦାବି କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼, ୨୨।୮ (ପି.ଟି.)- କିମ୍ବଦନ୍ତୀ ହକି ଖେଳାଳି ବଲବୀର ସିଂ ସିନିୟରଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଛନ୍ତି। ଅମରିନ୍ଦର ତାଙ୍କ ଚିଠିରେ ୯୫ ବର୍ଷୀୟ ବଲ୍‌ବୀରଙ୍କୁ ତାଙ୍କ ସମୟର ଜଣେ ଚମତ୍କାର କ୍ରୀଡ଼ାବିତ୍‌ ଭାବେ ଅଭିହିତ କରିଛନ୍ତି। ‘ମୁଁ ଆପଣଙ୍କ ଧ୍ୟାନ ଆକର୍ଷଣ କରି ଅନୁରୋଧ କରୁଛି କି ବଲ୍‌ବୀର ସିଂ ସିନିୟରଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ, ଯିଏ ସ୍ବାଧୀନ ଭାରତର ସବୁଠାରୁ ସମ୍ମାନସ୍ପଦ ଏବଂ ଚମତ୍କାର ଖେଳାଳି ରହିଥିଲେ’ ବୋଲି ଅମରିନ୍ଦର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ‘ଫିଲ୍ଡ ହକିରେ ଜଣେ ଚମତ୍କାର ଖେଳାଳି ରହିଥିବା ବଲ୍‌ବୀର ୧୯୪୮, ୧୯୫୨ ଓ ୧୯୫୬ ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ରହିଥିଲେ। ହକିକୁ ଅବଦାନ ଲାଗି ପୂର୍ବରୁ ୧୯୫୭ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏବେ ଭାରତ ରତ୍ନ ପୁରସ୍କାର ପାଇଁ ବଲ୍‌ବୀର ସିଂ ସିନିୟରଙ୍କ ନାମକୁ ବିଚାରକୁ ନିଆଯାଉ’ ବୋଲି ଅମରିନ୍ଦର ଏହି ଚିଠିରେ ଲେଖିଛନ୍ତି। ଗୋଟିଏ ଅଲିମ୍ପିକ ଫାଇନାଲରେ ବ୍ୟକ୍ତିଗତ ଭାବେ ସର୍ବାଧିକ ଗୋଲସ୍କୋର କରିବାର ରେକର୍ଡ ବଲ୍‌ବୀରଙ୍କ ନାମରେ ଆଜି ବି ଲିପିବଦ୍ଧ ହୋଇରହିଛି। ୧୯୫୨ ଅଲିମ୍ପିକ ଫାଇନାଲରେ ସେ ନେଦରଲାଣ୍ଡ୍ସ ବିପକ୍ଷରେ ଏକାକୀ ୫ଟି ଗୋଲସ୍କୋର କରିଥିଲେ। ଏହି ମ୍ୟାଚ୍‌କୁ ଭାରତ ୬-୧ ଗୋଲରେ ଜିତି ଚାମ୍ପିୟନ ହୋଇଥିଲା। ସେହିଭଳି ୧୯୭୫ ବିଶ୍ୱ ବିଜୟୀ ଭାରତୀୟ ଦଳର ସେ ମ୍ୟାନେଜର ରହିଥିଲେ।

Share