ବଲାଙ୍ଗୀରରେ ଅର୍ଦ୍ଧ ଶତକ ଡେଇଁଲା ସଂକ୍ରମିତଙ୍କ ସଂଖ୍ୟା: ବୁଧବାର ନୂଆ ୧୬ ପଜିଟିଭ୍‌ ଚିହ୍ନଟ; ୫୨ ସକ୍ରିୟ, ୨ ସୁସ୍ଥ

ବଲାଙ୍ଗୀର ଅଫିସ, ୨୭ା୫- ବଲାଙ୍ଗୀର ଜିଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ବୁଧବାର ଗୋଟିଏ ଦିନରେ ୧୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି । ବଲାଙ୍ଗୀର ମ୍ୟୁନିସିପାଲିଟିରେ ନୂଆ ୫ ସଂକ୍ରମିତ ଚିହ୍ନଟ ହେବା ପରେ କେବଳ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬କୁ ପହଞ୍ଚିଛି। ଏଭଳି ସ୍ଥିତିରେ ଉଭୟ ବଲାଙ୍ଗୀର ସହର ଓ ଜିଲାରେ କରୋନା ସଂକ୍ରମଣର ଭୟ ଓ ଆତଙ୍କ ବୃଦ୍ଧି ପାଇଛି। ବୁଧବାର ଜିଲାରେ ଚିହ୍ନଟ ୧୬ ସଂକ୍ରମିତଙ୍କ ମଧ୍ୟରୁ ବଲାଙ୍ଗୀର ସହରରେ ୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିରେ ବଲାଙ୍ଗୀର ଖଦାଲପଡାରେ ୨, ମାଳପଡାରେ ୨ ଜଣ ଅଛନ୍ତି। ଏମାନେ କଲିକତାରୁ ପେରିଛନ୍ତି ଓ କଲେଜ ଛକରେ ଜଣେ ସଂକ୍ରମିତ ହାୱାଡାରୁ ଫେରିଥିବା ଜଣାପଡିଛି। ଏହା ସହିତ ପୁଇଁତଲା ବ୍ଳକ ଛତାପିପଲ ଗ୍ରାମପଞ୍ଚାୟତର ଜଣେ ଆନ୍ଧ୍ରପ୍ରଦେଶ ଫେରନ୍ତା, ମୁରିବାହାଲ ବ୍ଳକ ଲେବଡା ଗ୍ରାମପଞ୍ଚାୟତର ୩ ଜଣ ମୁମ୍ବାଇ, ଚେନ୍ନାଇ ଓ ଗୁଜରାଟ ଫେରନ୍ତା ଓ ତେତେଲଖୁଣ୍ଟିର ଜଣେ ମୁମ୍ବାଇ ଫେରନ୍ତା, ଖପ୍ରାଖୋଲ ବ୍ଳକ ତେଲେନପାଲିଜର ଜଣେ ମୁମ୍ବାଇ ଫେରନ୍ତା, ବଙ୍ଗୋମୁଣ୍ଡା ବ୍ଳକ ଜାମଖୁଣ୍ଟାର ଜଣେ ମୁମ୍ବାଇ ଫେରନ୍ତା, ଟିଟିଲାଗଡ ବ୍ଳକ କୁରସୁଡ, ସୁର୍ଡା, ସେଲୁଆଁ ଓ ବୁରୋବନ୍ଧର ଜଣେ ଲେଖାଏ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୪ ଜଣ ମୁମ୍ବାଇରୁ ଫେରିଥିବା ଜଣାପଡିଛି । ବୁଧବାର ନୂଆ ୧୬ ଜଣ ସଂକ୍ରମିତଙ୍କ ତାଲିକା ଘୋଷଣା ପରେ ଜିଲାରେ କରୋନା ସଂକ୍ରମଣ ୫୪କୁ ବୃଦ୍ଧି ପାଇଥିବାରୁ ଜିଲାରେ ଭୟ ଓ ଆତଙ୍କ ପ୍ରକାଶ ପାଇଛି ।

Share