ବଲାଙ୍ଗୀରରେ ଜାରିହେଲା ଦୁଇଦିନିଆ ଶଟ୍‌ଡାଉନ୍

ବଲାଙ୍ଗୀର ଅଫିସ,୬ା୬: କରୋନା ସଂକ୍ରମଣ ରୋକିବା ଲାଗି ସରକାର ରାଜ୍ୟର ୧୧ଟି ଜିଲାରେ ଜୁନ୍‌ ମାସର ପ୍ରତ୍ୟେକ ଶନିବାର ଓ ରବିବାରକୁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଏହି କ୍ରମରେ ଜୁନ ମାସର ପ୍ରଥମ ଶନିବାରରେ ବଲାଙ୍ଗୀରରେ ଶଟ୍‌ଡାଉନ୍‌ କାର୍ଯ୍ୟକାରୀ ହୋଇଛି । ଅତ୍ୟାବଶ୍ୟକ ସେବାକୁ ବାଦ୍‌ଦେଇ ଅନ୍ୟ ସମସ୍ତ କ୍ଷେତ୍ରରେ କଟକଣା ଲଗାଯାଇଛି। ଶନିବାର ଓ ରବିବାର ଦୁଇଦିନିଆ ଶଟ୍‌ଡାଉନ୍‌ ଆରମ୍ଭ ହେବା ପରେ ପୋଲିସ ବିଭାଗ ପକ୍ଷରୁ ପହରାକୁ କଡ଼ାକଡ଼ି କରାଯାଇଛି । ଜିଲାର ସମସ୍ତ ପ୍ରମୁଖ ରାସ୍ତାଘାଟ ଉପରେ କଡ଼ା ନଜର ରଖାଯାଇଛି । ବଲାଙ୍ଗୀର ଜିଲା ସଦର ମହକୁମା ସହ ଟିଟିଲାଗଡ଼ ମ୍ୟୁନିସିପାଲିଟି, ପାଟଣାଗଡ, କଣ୍ଟାବାଞ୍ଜି ଓ ତୁଷରା ସହରାଞ୍ଚଳ ଓ ସମସ୍ତ ଗ୍ରାମାଞ୍ଚଳରେ ମଧ୍ୟ ନିୟମ ଲାଗୁ ହୋଇଛି । ସମସ୍ତ ଦୋକାନ ବଜାର, ଅଫିସ, ବ୍ୟାଙ୍କ, ସ୍କୁଲ କଲେଜ, ସମସ୍ତ ପ୍ରକାର ଅନୁଷ୍ଠାନ ବନ୍ଦ କରାଯାଇଛି । ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ, ଔଷଧ ଦୋକାନ, ଆମ୍ବୁଲାନ୍ସ ସେବାକୁ ଅନୁମତି ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନ ସମସ୍ତ ଜରୁରିକାଳୀନ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ କଟକଣାରୁ ବାଦ୍‌ ଦିଆଯାଇଛି । ପେଟ୍ରୋଲ ପମ୍ପ, ଟେଲିକମ୍‌ ସେବା, ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ଖୋଲା ରହିଛି।

Share