ବଲାଙ୍ଗୀରରେ ବନ୍ୟା ବିତ୍ପାତକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା: ୧ ହଜାର କୋଟିର ସହାୟତା ଦାବି

ବଲାଙ୍ଗୀର ଅଫିସ,୧୬।୮: ବଲାଙ୍ଗୀର ଜିଲାର ବନ୍ୟା ବିତ୍ପାତକୁ ନେଇ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ବଲାଙ୍ଗୀର ଗସ୍ତରେ ଆସି ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗୀର ଲୋକ ସଭା ସଦସ୍ୟ ସଙ୍ଗୀତା କୁମାରୀ ସିଂଦେଓ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ପାଟଣାଗଡ଼ ବିଧାୟକ ସରୋଜ ମେହେର, ଜିଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ, ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ, ଜିଲାପାଳ ଅରିନ୍ଦମ ଡାକୁଆ, ଡିଆର୍‌ଡିଏ ପିଡି ଡ. ମହେଶ୍ବର ସ୍ବାଇଁ ଓ ଅନ୍ୟ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲାର ଭୟାବହ ବନ୍ୟା ଓ ପରବର୍ତ୍ତୀ ରିଲିଫ ସମ୍ପର୍କରେ ଆଲୋଚନା ହୋଇଥିଲା। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଜିଲାର ବନ୍ୟା କ୍ଷତି ମୁକାବିଲା ପାଇଁ ୧ ହଜାର କୋଟି ଟଙ୍କାର ସହାୟତା ଦାବି କରିଥିଲେ। କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକ ଓ କଣ୍ଟାବାଞ୍ଜି ଏନ୍‌ଏସି ଅଞ୍ଚଳର ବନ୍ୟା କଥା ଉଲ୍ଲେଖ କରାଯାଇ ନ ଥିବାରୁ ମନ୍ତ୍ରୀ ଓ ଏସ୍‌ଆର୍‌ସିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏମ୍‌ପି ସଙ୍ଗୀତା ସିଂଦେଓ ହରିଶଙ୍କର ପୀଠର କ୍ଷୟକ୍ଷତି ସମ୍ପର୍କରେ କହିଥିଲେ। ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ପୁଇଁତଲା ଓ ଲୋଇସିଂହା ବ୍ଲକର ବନ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।