Categories: ରାଜ୍ୟ

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ଆଜି ବିଧାନସଭା ସମ୍ମୁଖରେ ଗଣବିକ୍ଷୋଭ

ବଲାଙ୍ଗୀର ଅଫିସ,୧୬।୭: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ମଙ୍ଗଳବାର ଭୁବନେଶ୍ୱରରେ ବିଧାନସଭା ସମ୍ମୁଖରେ ଗଣବିକ୍ଷୋଭ କରାଯିବ। ବଲାଙ୍ଗୀର ଜିଲା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ହେବାକୁ ଥିବା ଏହି ଗଣବିକ୍ଷୋଭରେ ଜିଲାର ଶତାଧିକ ଓକିଲ, ବୁଦ୍ଧିଜୀବୀ, ରାଜନେତା, ବିଭିନ୍ନ ସଙ୍ଗଠନର ପ୍ରତିନିଧି ସାମିଲ ହେବେ। ସୋମବାର ଓକିଲ ସଂଘ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଶତାଧିକ ଓକିଲ ଓ ପ୍ରତିନିଧି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ମଙ୍ଗଳବାର ସକାଳେ ବିଧାନସଭା ସମ୍ମୁଖରେ ଗଣବିକ୍ଷୋଭ କରାଯିବ। ଏହି ଗଣବିକ୍ଷୋଭ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲାର ସମସ୍ତ ନିର୍ବାଚିତ ଜନପ୍ରତିନିଧି ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି। ଏହାସହିତ ଭୁବନେଶ୍ୱରଠାରେ ଥିତ୍ବା ଜିଲାର ଶତାଧିକ ଛାତ୍ରୀଛାତ୍ର ଓ ବ୍ୟକ୍ତିବିଶେଷ ମଧ୍ୟ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କ୍ରିୟାନୁଷ୍ଠାନ କମିଟି ସଂଯୋଜକ ଲଳିତ କୁମାର ନାୟକ ସୂଚନା ଦେଇଛନ୍ତି ା ଏହି ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ା ଯଶବନ୍ତ ସିଂ କମିଶନ ସୁପାରିଶ ଅନୁସାରେ ପଶ୍ଚିମ ଓଡ଼ିଶାର ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ପାଇଁ ବଲାଙ୍ଗୀର ହିଁ ଉପଯୁକ୍ତ ସ୍ଥାନ ବୋଲି କୁହାଯାଇଛି। ଏଭଳି ସ୍ଥିତିରେ ସରକାର ତୁରନ୍ତ ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଘୋଷଣା କରନ୍ତୁ ବୋଲି ଜିଲା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ଦାବି କରିଆସୁଛି। ଗଡ଼ଜାତ ମିଶ୍ରଣ ପୂର୍ବରୁ ପୂର୍ବତନ ପାଟଣା ଷ୍ଟେଟରେ ଏକ ହାଇକୋର୍ଟ କାର୍ଯ୍ୟ କରୁଥିଲା। କଟକ ହାଇକୋର୍ଟ ସ୍ଥାପନ ପରେ ବଲାଙ୍ଗୀରରେ କାର୍ଯ୍ୟ କରୁଥିତ୍ବା ହାଇକୋର୍ଟ ବନ୍ଦ ହୋଇଥିଲା। ଏଣୁ ଏବେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ବଲାଙ୍ଗୀରର ଦାବିକୁ ପ୍ରାଥମିକତା ଦିଆଯିବାର ଆବଶ୍ୟକତା ରହିଛି ବୋଲି ଓକିଲ ସଂଘ ସଭାପତି ପ୍ରମୋଦ କୁମାର ତ୍ରିପାଠୀ, ମିଳିତ କ୍ରିୟାନୁଷ୍ଠାନ କମିଟି ସଂଯୋଜକ ନାୟକ କହିଛନ୍ତି।

Share