ବଲାଙ୍ଗୀରରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ସ୍ୱାକ୍ଷରିତ ହେଲା ତ୍ରିପାକ୍ଷିକ ବୁଝାମଣାପତ୍ର

ବଲାଙ୍ଗୀର ଅଫିସ,୪ା୪- ବଲାଙ୍ଗୀରରେ ହେବ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ । ଏନେଇ ଶୁକ୍ରବାର ବଲାଙ୍ଗୀର (କଳିଙ୍ଗ ଇଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍‌ସେସ୍‌) କିସ୍ କ୍ୟାମ୍ପସ ପରିସରରେ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । କଳିଙ୍ଗ ଇଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ (କିମ୍‌ସ୍‌) ଭୁବନେଶ୍ୱର, ଓଡିଶା ମାଇନିଂ କର୍ପୋରେସନ (ଓଏମ୍‌ସି) ଓ ବଲାଙ୍ଗୀର ଜିଲା ପ୍ରଶାସନ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ହସପିଟାଲରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ମଧ୍ୟ ରହିବ । ଆଜି କିସ୍‌, କିଟ୍ ଓ କିମ୍‌ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ ଓ କିମ୍‌ସ ସିଇଓ ଡ. ବିଷ୍ଣୁଚରଣ ପାଣିଗ୍ରାହୀ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ କରିଥିଲେ । ବଲାଙ୍ଗୀରର କୋଭିଡ୍ ହସ୍ପିଟାଲକୁ କିମ୍‌ସ, ଭୁବନେଶ୍ୱର ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ପରିଚାଳନା କରୁଥିବାବେଳେ ଓଡିଶା ମାଇନିଂ କର୍ପୋରେସନ ଆର୍ଥିକ ଅନୁଦାନ ଯୋଗାଇ ଦେବେ । ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ସମୟରେ ବଲାଙ୍ଗୀର ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି, ସିଡିଏମଓ ଡା. ନାରାୟଣ ଥନାପତି ଉପସ୍ଥିତ ଥିଲେ ।

Share