ବଲାଙ୍ଗୀର: ଗୋଟିଏ ଦିନରେ ୭ କରୋନା ପଜିଟିଭ୍‌ ଚିହ୍ନଟ; ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୬ ଛୁଇଁଲା

ବଲାଙ୍ଗୀର ଅଫିସ, ୨୪ା୫- ବଲାଙ୍ଗୀର ଜିଲାରେ ଗୋଟିଏ ଦିନରେ ୭ଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲାର ପଜିଟିିଭ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ଶନିବାର ରାତି ସୁଦ୍ଧା ଜିଲାରେ ୭ଟି ନୂଆ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିଲା । ଲୋଇସିଂହା ବ୍ଳକର ବୁଢ଼ୀପଦର, ବଙ୍ଗୋମୁଣ୍ଡା ବ୍ଳକର ସିନ୍ଧେକେଲା, ମୁରିବାହାଲ ବ୍ଳକ୍‌ର ପାତ୍ରପଡା ପଞ୍ଚାୟତରେ ଜଣେ ଲେଖାଏ ଓ ସଇଁତଲା ବ୍ଳକର ଶିଶକେଲାରେ ୨ଟି ଏବଂ ଆଗଲପୁର ବ୍ଳକ୍‌ ଇନ୍‌ସାରେ ୧ ଓ ଭରସୁଜାରେ ୧ ଏଭଳି ସମୁଦାୟ ୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ସଂକ୍ରମିତ ପ୍ରବାସୀ ଶ୍ରମିକ ଓ ବାହାର ରାଜ୍ୟରୁ ଆସିଛନ୍ତି ଓ ସେମାନେ ନିଜ ନିଜ କ୍ୱାରାଣ୍ଟାଇନ ସେଣ୍ଟର ଗୁଡିକରେ ରହିଥିଲେ ବୋଲି ସୂଚନା ଦିଆଯାଇଛି । ଶୁକ୍ରବାର ରାତି ସୁଦ୍ଧା ସଇଁତଲା ବ୍ଳକ୍ର ଟିକ୍ରପଡା ଗ୍ରାମପଞ୍ଚାୟତକୁ ଫେରିଥିବା ଜଣେ ପ୍ରବାସୀ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପୂର୍ବରୁ ଗୁଡଭେଲା ବ୍ଳକ୍‌ର ଲିଖିରିଆରେ ୨ଜଣ, ବଲାଙ୍ଗୀର ସହର କ୍ୱାରାଣ୍ଟାଇନ ସେଣ୍ଟରରୁ ୨ ଓ ପୁଇଁତଲା ବ୍ଳକ ବନ୍ଧପଡା ଗ୍ରାମପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରେ ୨ ଜଣ ଓ ତୁରେକେଲା ବ୍ଳକ ବଡବାଙ୍କି ଗ୍ରାମପଞ୍ଚାୟତ ମୁରିବାହାଲ କ୍ୱାରାଣ୍ଟାଇନ ସେଣ୍ଟରରେ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଲିଖିରିଆର ୨ ଜଣ ସୁସ୍ଥ ହୋଇ ଫେରିଛନ୍ତି ଓ ଅନ୍ୟ ୧୪ ଜଣ ସକ୍ରିୟ ରହିଛନ୍ତି । ସମସ୍ତ ସକ୍ରିୟ ସଂକ୍ରମିତଙ୍କୁ ଭୁବନେଶ୍ୱର କୋଭିଡ ହସପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି ।

Share