ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଇସୋଲେଶନ ସେଣ୍ଟର ପାଇଖାନା ନିର୍ମାଣରେ ଅନିୟମିତତା: ଅଭିଯୋଗ ଆଣିଲେ ଅଞ୍ଚଳବାସୀ

ଲୋଇସିଂହା ,୨୦।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଇସୋଲେଶନ ସେଣ୍ଟର ପାଇଖାନା ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏକ ପୁରୁଣା ଟାଙ୍କିକୁ ମରାମତି କରି ଅର୍ଥ ଆତ୍ମସାତ ପାଇଁ ଉଦ୍ୟମ ଚାଲିଥିବା ସ୍ଥାନୀୟ ଅଞ୍ଚଳବାସୀ ଆଭିଯୋଗ କରିଛନ୍ତି।
ସୂଚନାନୁଯାୟୀ, କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ଦେଖାଉଛନ୍ତି। ପଞ୍ଚାୟତରେ କ୍ବାରାଣ୍ଟାଇନ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଇସୋଲେଶନ ସେଣ୍ଟର ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ଯୋଗାଇଛନ୍ତି ସରକାର। ରାଜ୍ୟ ତଥା ରାଜ୍ୟ ବାହାରୁ ଫେରନ୍ତା ଦାଦନ ଓ କରୋନା ଲକ୍ଷଣ ବ୍ୟକ୍ତି ବିଶେଷଙ୍କୁ ଉକ୍ତ ସେଣ୍ଟରରେ ସଙ୍ଗରୋଧ ରଖି ଚିକିତ୍ସା ଓ ଆନ୍ୟାନ୍ୟ ସୁବିଧା ଯୋଗାଇବା ଏହାର ମୂଳ ଲକ୍ଷ୍ୟ। ସେହିପରି ଲୋଇସିଂହା ଡାକ୍ତରଖାନାରେ ୭ ଶଯ୍ୟା ବିଶିଷ୍ଟ ଆଇସୋଲେଶନ ସେଣ୍ଟର ବ୍ୟବସ୍ଥା ହୋଇଛି। ସଭାଗୃହ ନିକଟସ୍ଥ କୋଠରୀରେ ଆଇସୋଲେଶନ ସେଣ୍ଟର କରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ର ପରିସର ଔଷଧ ଦୋକାନ ପଛପଟେ ଥିବା ପୁରୁଣା ପାଇଖାନା ଟାଙ୍କି ନିକଟରେ ପାଇଖାନା ନିର୍ମାଣ ହେଉଛି। ପୁରୁଣା ଟାଙ୍କିକୁ ପଲିସ ତଥା ମରାମତିକରି ଆନୁଦାନ ରାଶି ହଡ଼ପ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ୟମ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା ମଧ୍ୟ କରାଯାଉଛି । ଏ ନେଇ ପିଏଚଓ ରମେଶ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବିପିଏମ୍‌ କହି ପାରିବେ ବୋଲି ସଫେଇ ଦେଇଥିଲେ। ତେବେ ମତାମତ ପାଇଁ ବିପିଏମଙ୍କ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା । ଏ ଦିଗରେ ଜିଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।

Share