ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ସମୟ ପରିବର୍ତ୍ତନ:ସେପ୍ଟେମ୍ବର ପହିଲାରୁ ଲାଗୁ

ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ନଂ.୧୨୮୯୪ର ସମୟକୁ ପରିବର୍ତ୍ତନ କରାଯାଇଛି। କେବଳ ବଲାଙ୍ଗୀରରୁ ଭୁବନେଶ୍ୱର ଯାତ୍ରା ସମୟରେ ପରିବର୍ତ୍ତନ କରାଯାଇଥିବାବେଳେ ଭୁବନେଶ୍ୱରରୁ ବଲାଙ୍ଗୀର ଯାତ୍ରା ସମୟକୁ ସ୍ଥିର ରଖାଯାଇଛି। ଆସନ୍ତା ସେପ୍ଟେମ୍ବର ପହିଲାରୁ ପରିବର୍ତ୍ତିତ ସମୟରେ ଏହି ଏକ୍ସପ୍ରେସ ଚଳାଚଳ କରିବ। ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଅପରାହ୍ନ ୨ଟା ୩୦ ପରିବର୍ତ୍ତେ ୨ଟା ୪୫ରେ ବଲାଙ୍ଗୀରରୁ ଯାତ୍ରାରମ୍ଭ କରିବ। ସେହି ଅନୁସାରେ ଭୁବନେଶ୍ୱରରେ ରାତି ୯ଟା ୪୦ ପରିବର୍ତ୍ତେ ୯ଟା ୪୫ରେ ପହଞ୍ଚତ୍ବ। ସେହିଭଳି ବଲାଙ୍ଗୀର ଓ ଭୁବନେଶ୍ୱର ମଧ୍ୟରେ ଏହି ଏକ୍ସପ୍ରେସ ପାଇଁ ବିଭିନ୍ନ ଷ୍ଟେଶନରେ ସ୍ଥିରୀକୃତ ସମୟକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଲୋଇସିଂହାରୁ ଅପରାହ୍ନ ୩ଟା ୦୩, ବରଗଡ଼ ରୋଡ୍‌ରୁ ଅପରାହ୍ନ ୩ଟା ୪୯, ସମ୍ବଲପୁରରୁ ଅପରାହ୍ନ ୪ଟା ୫୦, ରେଢ଼ାଖୋଲରୁ ଅପରାହ୍ନ ୫ଟା ୫୭, ଅନୁଗୋଳରୁ ରାତି ୭ଟା ୨୯, ତାଳଚେର ରୋଡ୍‌ରୁ ରାତି ୭ଟା ୪୧, ଢ଼େଙ୍କାନାଳରୁ ରାତି ୮ଟା ୩୧ ଓ ନରାଜ ମାର୍ଥାପୁରରୁ ରାତି ୯ଟା ୧୭ ମିନିଟ୍‌ରେ ଟ୍ରେନ୍‌ଟି ଭୁବନେଶ୍ୱର ଅଭିମୁଖେ ବାହାରିବ। ତେବେ ଭୁବନେଶ୍ୱରରୁ ସକାଳେ ଛାଡୁଥିବା ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ୍‌ (ନଂ.୧୨୮୯୩)ର ସମୟରେ କୌଣସି ପରିବର୍ତ୍ତନ କରାଯାଇନାହଁି। ପୂର୍ବର ଧାର୍ଯ୍ୟ ସମୟ ଅନୁସାରେ ସକାଳ ୬ଟା ୩୦ରେ ଭୁବନେଶ୍ୱରରୁ ଯାତ୍ରା କରି ବଲାଙ୍ଗୀରରେ ଅପରାହ୍ନ ୧ଟା ୨୫ରେ ପହଞ୍ଚିବ। ସେହିପରି ଭୁବନେଶ୍ୱରରୁ ବଲାଙ୍ଗୀର ମଧ୍ୟରେ ଥିବା ଷ୍ଟେଶନଗୁଡିକରେ ପୂର୍ବ ସ୍ଥିରୀକୃତ ସମୟରେ ଏହି ଏକ୍ସପ୍ରେସ ଯାତ୍ରା କରିବ ବୋଲି ରେଳପଥ ପକ୍ଷରୁ ସୂଚନା ମିଳିଛି।