ବଲିଉଡରେ ବର୍ଷେ ପୂରିଲା

ମୁମ୍ବାଇ: ବଲିଉଡରେ ଅଭିନୟ ଜୀବନର ୧ବର୍ଷ ପୂରଣ କରିଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା ଇଶାନ ଖଟ୍ଟର। ଦୁହେଁ ଅଭିନୟ କରିଥିବା ଧଡକ ଫିଲ୍ମର ରିଲିଜକୁ ବର୍ଷେ ସମ୍ପୂର୍ଣ୍ଣ ହୋଇଛି। ସୋସିଆଲ୍‌ ମିଡିଆରେ ଏ ସମ୍ପର୍କରେ ସେମାନେ ଭାବାବେଗପୂର୍ଣ୍ଣ ଲେଖା ପୋଷ୍ଟ କରିଛନ୍ତି। ଶଶାଙ୍କ ଖତିଆନ୍‌ଙ୍କ ନିର୍ଦ୍ଦେଶିତ ଧଡକ ମରାଠୀ ଫିଲ୍ମ ‘ସଇରାତ୍‌’ର ରୂପାନ୍ତର। କରନ୍‌ ଜୋହରଙ୍କ ଦ୍ୱାରା ଏହା ପ୍ରସ୍ତୁତ। ଜାହ୍ନବୀ ଉକ୍ତ ଫିଲ୍ମରେ ଅଭିନୟ ପାଇଁ କରନଙ୍କ ମାର୍ଗଦର୍ଶନକୁ ଧନ୍ୟବାଦ ଜଣାଇଛନ୍ତି। ସେ ମଧ୍ୟ ଶଶାଙ୍କ ଓ ଇଶାନ୍‌ଙ୍କୁ ପ୍ରଶଂସା କରିଛନ୍ତି। ସେହିପରି ଧଡକରେ ଅଭିନୟ କରିବା ପୂର୍ବରୁ ଇଶାନ୍‌ ମଜିଦ୍‌ ମଜିଦିଙ୍କ ଇଣ୍ଟରନ୍ୟାଶନାଲ ପ୍ରୋଜେକ୍ଟ ‘ବିୟଣ୍ଡ ଦି କ୍ଲାଉଡ୍ସ’ରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ମଧ୍ୟ କରନ୍‌, ଶଶାଙ୍କ ଏବଂ ଜାହ୍ନବୀଙ୍କୁ ଧନ୍ୟବାଦ ଜଣାଇବା ସହ ଅତୀତର ସ୍ମୃତିଚାରଣ କରିଛନ୍ତି। ଫିଲ୍ମ ନିର୍ମାଣରେ ସମସ୍ତଙ୍କର ଗଠନମୂଳକ ସହଯୋଗକୁ ସେ ପ୍ରଶଂସା କରିବା ସହିତ ସେମାନଙ୍କ ବିନା ଫିଲ୍ମର ହୃଦ୍‌ଯନ୍ତ୍ର ସ୍ପନ୍ଦିତ ହୋଇପାରିବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି।

Share