ବଲିଉଡ୍‌ର ଦାମୀ ହିରୋ

ମୁମ୍ବାଇ: ସଲ୍‌ମାନ ଖାନ୍‌ ହୁଅନ୍ତୁ ବା ଶାହରୁଖ୍‌ ଖାନ୍‌, ଆମୀର ଖାନ୍‌ ହୁଅନ୍ତୁ ବା ହ୍ରିତିକ୍‌ ରୋଶନ, ଏହି ହିରୋମାନେ ଦଶନ୍ଧି ଧରି ବଲିଉଡ୍‌ରେ ନିଜର ଦବ୍‌ଦବା ବଜାୟ ରଖିଛନ୍ତି। ହେଲେ ବଲିଉଡ୍‌ ସୁପର୍‌ଷ୍ଟାର ଅକ୍ଷୟ କୁମାରଙ୍କ କଥା ଟିକେ ଅଲଗା। ଅକ୍ଷୟଙ୍କର ରହିଛି ଏକ ସ୍ବତନ୍ତ୍ର ଫ୍ୟାନ୍‌ ଫଲୋଇଂସ୍‌। ସେ ଜଣେ ଏଭଳି ଅଭିନେତା, ଯିଏ ଯେକୌଣସି ଚରିତ୍ରକୁ ନିଜର ଏକ ସ୍ବତନ୍ତ୍ର ଅଭିନୟ ଶୈଳୀରେ ପରଦାରେ ଫୁଟାଇପାରନ୍ତି। ଖାସ୍‌ ଏଥିପାଇଁ ବର୍ଷରେ ସର୍ବାଧିକ ଫିଲ୍ମରେ ନଜର ଆସିଥାନ୍ତି ଅକ୍ଷୟ। ଗୋଟିଏ ବର୍ଷରେ ତାଙ୍କର ପ୍ରାୟ ୪-୫ ଟି ଫିଲ୍ମ ରିଲିଜ୍‌ ହୋଇଥାଏ। ଆକ୍ସନ, କମେଡ଼ି, ଇନ୍‌ଟେନ୍ସ ଲଭ୍‌, ରୋମାଣ୍ଟିକ୍‌, ଦେଶଭକ୍ତି ଉପରେ ଆଧାରିତ ହେଉ ବା କୌଣସି ସାମାଜିକ ସମସ୍ୟାକୁ ନେଇ ପ୍ରସ୍ତୁତ ଫିଲ୍ମ ହେଉ ସବୁଥିରେ ଅକ୍ଷୟ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ଏଥିପାଇଁ ସେ ଫିଲ୍ମ ପାଇ ଚାଲିଛନ୍ତି ଆଉ ତାଙ୍କ ବଜେଟ୍‌ ମଧ୍ୟ ବଢ଼ି ଚାଲିଛି।
ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଅକ୍ଷୟଙ୍କ ୩ଟି ଫିଲ୍ମ ରିଲିଜ୍‌ ହୋଇସାରିଛି। କେସରୀ, ମିଶନ୍‌ ମଙ୍ଗଲ୍‌ ଓ ହାଉସ୍‌ଫୁଲ୍‌-୪ ରିଲିଜ୍‌ ହୋଇସାରିଥିବାବେଳେ ଡିସେମ୍ବର ୨୭ରେ ଗୁଡ୍‌ ନ୍ୟୁଜ୍‌ ଫିଲ୍ମ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି। ସେହିପରି ଆସନ୍ତା ବର୍ଷ ଅର୍ଥାତ ୨୦୨୦ରେ ସୂର୍ଯ୍ୟବଂଶୀ, ବଚ୍ଚନ ପାଣ୍ଡେ, ପୃଥ୍ବୀରାଜ୍‌ ଏବଂ ଲକ୍ଷ୍ମୀ ବମ୍ବ ଫିଲ୍ମ ରିଲିଜ୍‌ ହେବ। ତେବେ ଏହାରି ଭିତରେ ଅକ୍ଷୟ ପୁଣି ଏକ ଫିଲ୍ମ ସାଇନ୍‌ କରିଥିବା ଜଣାପଡ଼ିଛି। ଏୟାର ଲିଫ୍‌ଟ ଫିଲ୍ମର ନିର୍ଦ୍ଦେଶକ ନିଖିଲ୍‌ ଆଡ୍‌ଭାନୀ ଓ ବାସୁ ଭାଗନାନୀଙ୍କ ସହ ଅକ୍ଷୟ ଏହି ଆକ୍ସନ ଫିଲ୍ମରେ କାମ କରିବେ। ଏହା ଏକ ହାଇ-ବଜେଟ୍‌ ଫିଲ୍ମ ହେବ, ଯାହାର ଅଧିକାଂଶ ଶୁଟିଂ ଲୋକେଶନ୍‌ ଲଣ୍ଡନ ରହିଛି। ଫିଲ୍ମରେ ଭରପୂର ମନୋରଞ୍ଜନ ସହ ଆକ୍ସନ ଡ୍ରାମା ଦେଖିବାକୁ ମିଳିବ, ଯାହା ବାସ୍ତବିକ କାହାଣୀ ସହ ଜଡ଼ିତ। ତେବେ ଅକ୍ଷୟ ତ ଫିଲ୍ମ ପାଇଁ ରାଜି ଅଛନ୍ତି। ହେଲେ ଫିଲ୍ମ ପାଇଁ ସେ ୧୦୦ କୋଟି ପାଉଣା ନେଇଥିବା ଜଣାପଡ଼ିଛି। ଏବେ ଅକ୍ଷୟ କୁମାର ବଲିଉଡ୍‌ର ସବୁଠାରୁ ଦାମୀ ଅଭିନେତା ବୋଲି କୁହାଯାଉଛି।

Share