ବଲିଉଡ୍‌ର ନିଆରା ପ୍ରେମକାହାଣୀ: ଘାତ ପ୍ରତିଘାତ ପରେ ଗୌରୀ ଧରିଥିଲେ ଶାହରୁଖଙ୍କ ହାତ

ମୁମ୍ବାଇ,୮।୧୦: କିଙ୍ଗ୍‌ ଖାଁ ଶାହରୁଖ୍‌ଙ୍କ ସ୍ତ୍ରୀ ଗୌରୀ ଖାଁ ମଙ୍ଗଳବାର ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୦ ଅକ୍ଟୋବର ୮ରେ ସେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଗୌରୀ ଚିବର ଥିଲା। ତାଙ୍କ ପିତା କଲୋନେଲ ରମେଶ ଚନ୍ଦ୍ର ଚିବର ଆର୍ମିରେ ଥିବାରୁ ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦେଉଥିଲେ। ମାତା ସବିତା ଚିବର ଜଣେ ଗୃହିଣୀ ଥିଲେ। ଶାହାରୁଖ୍‌ଙ୍କୁ ନେଇ ଗୌରୀଙ୍କ ପ୍ରେମ କାହାଣୀ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଟିଭି ସିରିଏଲ୍‌ ସର୍କସରେ ଅଭିନୟ କରିବା ପରେ ଶାହରୁଖ ବଲିଉଡ୍‌ରେ ପାଦ ଥାପିଥିଲେ। ୧୯୮୪ରେ ଦିଲ୍ଲୀର ପଞ୍ଚଶୀଳ କ୍ଲବ୍‌ରେ୧୪ ବର୍ଷ ବୟସ୍କା ଗୌରୀ ୧୯ ବର୍ଷ ବୟସ୍କ ଶାହରୁଖ୍‌ଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ। ୧୯୮୪ ଅକ୍ଟୋବର ୨୫ରେ ଦୁହିଁଙ୍କ ମଧ୍ୟରେ ସାକ୍ଷାତ୍‌ ସମୟରେ ଉଭୟ ପରସ୍ପରର ଫୋନ୍‌ ନମ୍ବର ନେଇଥିଲେ। ପରେ ଆରମ୍ଭ ହୋଇଥିଲା ପ୍ରେମ କାହାଣୀର ଆରମ୍ଭ। ଦୁଇଜଣଙ୍କ ପ୍ରେମ ସମ୍ପର୍କ ଗୌରୀଙ୍କ ପରିବାର ଲୋକେ ଜାଣିଥିଲେ। ତେବେ ଶାହରୁଖଙ୍କୁ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଗୌରୀଙ୍କ ପରିବାର ପକ୍ଷରୁ କୁହାଯାଇଥିଲା। ମାତ୍ର ଏହାକୁ ଗୌରୀ ମନା କରିଥିଲେ। ଶାହରୁଖଙ୍କୁ ସେ ନିଜ ଧର୍ମ ପରିବର୍ତ୍ତନ କରିବାକୁ ମନା କରିଥିଲେ। ଏହା ଦ୍ୱାରା ତାଙ୍କର ଭଲ ପାଇବାର ମୂଲ୍ୟ ରହିବ ନାହିଁ ବୋଲି ଗୋରୀ ଚିନ୍ତା କରିଥିଲେ। ୧୯୯୧ ଅଗଷ୍ଟ ୨୬ରେ ଦୁହେଁ କୋର୍ଟରେ ବିବାହ କରିଥିଲେ। ପରେ ୧୯୯୧ ଅକ୍ଟୋବର ୨୫ରେ ହିନ୍ଦୁ ରୀତିରେ ମଧ୍ୟ ବିବାହ କରିଥିଲେ। ସେହିବର୍ଷ ଶାହରୁଖ୍‌ଙ୍କ ପ୍ରଥମ ଫିଲ୍ମ ଦିଲ୍‌ ଆଶାନା ନିର୍ମିତ ହୋଇଥିଲା। ମାତ୍ର ଏହା ବକ୍ସ ଅଫିସ୍‌ରେ ହିଟ୍‌ ହୋଇ ନ ଥିଲା। ପରେ ୧୯୯୨ରେ ଶାହାରୁଖ୍‌ଙ୍କ ଫିଲ୍ମ ଦିଓ୍ବାନା ବଲିଉଡ୍‌ରେ ଚହଳ ପକାଇଥିଲା। ଗୌରୀ ଶାହରୁଖଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଥିଲେ। ଫଳରେ ଶେଷରେ ସେମାନଙ୍କର ଦାମ୍ପତ୍ୟ ଜୀବନ ସୁଖୀ ହୋଇ ପାରିଛି ବୋଲି ଏକ ସାକ୍ଷାତ୍‌କାରରେ ଶାହରୁଖ କହିଥିଲେ।

Share