ବଲିଉଡ୍‌ ଏଣ୍ଟ୍ରି ପାଇଁ ନିଜ ନାଁ ବଦଳାଇ ଦେଇଥିଲେ ମିନାକ୍ଷୀ

ମୁମ୍ବାଇ: ବଲିଉଡ୍‌ ଦାମିନୀ ମିନାକ୍ଷୀ ଶେଷାଦ୍ରୀ ଆଜିବି ଦର୍ଶକଙ୍କ ମନରେ ବସାବାନ୍ଧି ରହିଛନ୍ତି। ଏହି ଅଭିନେତ୍ରୀ ୯୦ ଦଶକରେ ବଲିଉଡ୍‌ ଦୁନିଆରେ ଜଣେ ଆଗଧାଡିର ନାୟିକା ଭାବେ ବେଶ୍‌ ନାଁ କମାଇଥିଲେ। ଶନିବାର ୫୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ମିନାକ୍ଷୀ। ୧୬ ନଭେମ୍ବର ୧୯୬୩ରେ ଝାଡ଼ଖଣ୍ଡର ସିନ୍ଦରୀରେ ଜନ୍ମ ନେଇଥିଲେ ଏହି ବଲିଉଡ୍‌ ବିୟୁଟି। ମାତ୍ର ୧୭ ବର୍ଷ ବୟସରେ ସେ ମିସ୍‌ ଇଣ୍ଡିଆ ହେବାର ଗୌରବ ଅର୍ଜନ କରିଥିଲେ। ମିନାକ୍ଷୀଙ୍କ ପ୍ରକୃତ ନାଁ ଥିଲା ଶଶିକଳା ଶେଷାଦ୍ରୀ। ତେବେ ସେ ଯେତେବେଳେ ମିସ୍‌ ଇଣ୍ଡିଆ ଟାଇଟଲ ପାଇଥିଲେ ଖବରକାଗଜରେ ତାଙ୍କର ଫଟୋ ଦେଖି ମନୋଜ କୁମାର ତାଙ୍କୁ ଫିଲ୍ମରେ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏତିକିବେଳେ ତାଙ୍କୁ ଫିଲ୍ମ ‘ପେଣ୍ଟର ବାବୁ’ ପାଇଁ ସାଇନ୍‌ କରାଗଲା। କିନ୍ତୁ ଇଣ୍ଡଷ୍ଟ୍ରିରେ ଶଶିକଳା ନାଁରେ ଅନ୍ୟ ଜଣେ ଅଭିନେତ୍ରୀ ଥିବାରୁ ମିନାକ୍ଷୀଙ୍କ ନାଁ ଶଶିକଳାକୁ ପରିବର୍ତ୍ତନ କରିବାକୁ ସମସ୍ତେ ଇଚ୍ଛା ପ୍ରକାଶ କଲେ। ଆଉ ଶଶିକଳାରୁ ତାଙ୍କ ନାଁ ପରିବର୍ତ୍ତନ ହୋଇ ମିନାକ୍ଷୀ ରଖାଗଲା। ତେବେ ‘ପେଣ୍ଟର ବାବୁ’ ବକ୍ସ ଅଫିସରେ ଫ୍ଲପ ହେବାରୁ ମିନାକ୍ଷୀ ବଲିଉଡ୍‌ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏତିକି ବେଳେ ସୁଭାଷ ଘାଇଙ୍କ ଫିଲ୍ମ ‘ହିରୋ’ ପାଇଁ ତାଙ୍କୁ ମିଳିଲା ଅଫର୍‌। ଆଉ ଏହା ବ୍ଲକବଷ୍ଟର ଫିଲ୍ମ ଭାବେ ସାଉଁଟିଲା ସଫଳତା। ସେତେବେଳେ ‘ହିରୋ’ ପ୍ରାୟ ୧୩ କୋଟି ବ୍ୟବସାୟ କରିଥିଲା ବୋଲି କୁହାଯାଏ। କାରଣ ସେ ସମୟରେ କେବଳ ଅମିତାଭ ବଚ୍ଚନଙ୍କ ଫିଲ୍ମ ହିଁ ଏବେ ପରିମାଣର ବ୍ୟବସାୟ କରୁଥିଲା। ଏହାପରେ ସେ ଆଉ ପଛକୁ ନ ଫେରି ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଚାଲିଲେ। ହେଲେ ବିବାହ ପରେ ସେ ଧିରେଧିରେ ବଲିଉଡ୍‌ରୁ ଦୂରେଇ ଯାଇଥିଲେ। କାରଣ ବିବାହ କରିବା ପରେ ସେ ଭାରତ ଛାଡି ବିଦେଶରେ ରହିବାକୁ ଲାଗିଲେ। ହେଲେ ତାଙ୍କର ଅଭିନୟ ଏବେବି ଦର୍ଶକଙ୍କ ମନରେ ଅପାସୋରା ହୋଇରହିଛି।

Share