Categories: ଖେଳ

ବଲ ଟାମ୍ପରିଂ କରି ଶେହଜାଦ ଦଣ୍ଡିତ

କରାଚୀ,୨।୧୧- ପାକିସ୍ତାନର ଟେଷ୍ଟ ଓପନର ଅହମ୍ମଦ ଶେହଜାଦ କୁଏଦ-ଇ-ଆଜାମ ଟ୍ରଫିରେ ଶୁକ୍ରବାର ସେଣ୍ଟ୍ରାଲ ପଞ୍ଜାବ ଓ ସିନ୍ଧି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ବଲ ଟାମ୍ପରିଂ କରିଛନ୍ତି। ଏଥିନେଇ ଦଣ୍ଡ ସ୍ବରୂପ ତାଙ୍କ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ କାଟ କରାଯାଇଛି। ଏ ସମ୍ପର୍କରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ କୁହାଯାଇଛି। ଫଇସଲାବାଦଠାରେ ସିନ୍ଧି ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେଣ୍ଟ୍ରାଲ ପଞ୍ଜାବ ଦଳର ଅଧିନାୟକ ଶେହଜାଦ ବଲର ସ୍ଥିତିରେ ପରିବର୍ତ୍ତନ ଆଣିଥିଲେ। ଦୋଷ ପ୍ରମାଣ ହୋଇଥିବାରୁ ତାଙ୍କୁ ଦଣ୍ଡିତ କରାଯାଇଛି। ମ୍ୟାଚ୍‌ର ପ୍ରଥମ ଇନିଂସର ୧୭ତମ ଓଭରରେ ଫିଲ୍ଡ ଅମ୍ପାୟର ମହମ୍ମଦ ଆସିଫ ଓ ଜାମିର ଅହମ୍ମଦ ଯାଞ୍ଚବେଳେ ବଲରେ ଅସ୍ବାଭାବିକ ପରିବର୍ତ୍ତନ ଲକ୍ଷ୍ୟ କରିଥିଲେ, ଯାହାକି ଫିଲ୍ଡିଂ କରୁଥିବା ଦଳ ଦ୍ୱାରା କରାଯାଇଥିଲା। ଏ ନେଇ ଅମ୍ପାୟର ମ୍ୟାଚ୍‌ ରେଫରିଙ୍କ ନିକଟରେ ରିପୋର୍ଟ କରିଥିଲେ। ଦଳର ଅଧିନାୟକ ଭାବେ ଶେହଜାଦ ଏଭଳି ଉଲ୍ଲଘନ ପାଇଁ ଉତ୍ତର ଦାୟୀ। ଏଥିଯୋଗୁ ତାଙ୍କୁ ନୋଟିସ ଦିଆଯାଇଥିଲା। ମ୍ୟାଚ୍‌ ଶେଷ ହେବା ପରେ ଅନୁଷ୍ଠିତ ଶୁଣାଣିରେ ଶେହଜାଦ ଦୋଷୀ ଥିବା ଜଣାପଡ଼ିଥିଲା। ଆଉ ଏକ ଘଟଣାରେ ପାକିସ୍ତାନ ଟେଷ୍ଟ ଦଳର ନୂଆ ଅଧିନାୟକ ଆଝାର ଅଲିଙ୍କୁ ଭତ୍ସର୍ନ କରାଯାଇଛି। ସେ ମ୍ୟାଚ୍‌ବେଳେ ଜଣେ ଖେଳାଳିଙ୍କ ଆଡ଼କୁ ବିନା କାରଣରେ ବଲ ପକାଇଥିଲେ, ଯାହାକି ଉକ୍ତ ଖେଳାଳିଙ୍କ ଲାଗି ସଙ୍କଟପୂର୍ଣ୍ଣ ହୋଇପାରିଥାନ୍ତା।

Share