ବଲ ଟ୍ୟାମ୍ପରିଂ କରି ନାହାନ୍ତି ଜାମ୍ପା

ଲଣ୍ଡନ,୧୦।୬- ଭାରତ ବିପକ୍ଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଲେଗ୍‌ ସ୍ପିନର ଆଡାମ ଜାମ୍ପାଙ୍କ କାର୍ଯ୍ୟ ଉପରେ ବହୁତ ପ୍ରଶ୍ନ ଉଠିଛି। ମ୍ୟାଚ୍‌ ବେଳେ ସେ ବୋଲିଂ କରିବା ପୂର୍ବରୁ ପକେଟରୁ କିଛି ବାହାର କରି ବଲ ଉପରେ ଘଷିଥିଲେ। ବାରମ୍ବାର ଏଭଳି କରିଥିଲେ। ତାଙ୍କ ହାତରେ ମଧ୍ୟ କିଛି ଥିବାର ଦେଖିବାକୁ ମିଳିଥିଲା। ଏଥିଯୋଗୁ ତାଙ୍କ ବିରୋଧରେ ବଲ ଟ୍ୟାମ୍ପରିଂ ଅଭିଯୋଗ ଆସିଛି। କିନ୍ତୁ ଏହାକୁ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଆରୋନ ଫିଞ୍ଚ ଖଣ୍ଡନ କରିଛନ୍ତି। ବଲ ଟ୍ୟାମ୍ପରିଂ ଘଟଣାକୁ ଅଷ୍ଟ୍ରେଲିଆ ଖେଳାଳି ପୁନଃ ଦୋହରାଇ ନ ଥିବା ସେ କହିଛନ୍ତି। ଗତ ବର୍ଷ କେପ ଟାଉନ ଟେଷ୍ଟରେ ଷ୍ଟିଭ ସ୍ମିଥ ଓ ଡେଭିଡ ଓ୍ବାର୍ନର ବଲ ଟ୍ୟାମ୍ପରିଂ ଘଟଣା ଯୋଗୁ ଏକ ବର୍ଷ ବାସନ୍ଦ ହୋଇଥିଲେ। ସେମାନେ ନିକଟରେ ବାସନ୍ଦାଦେଶରୁ ଫେରିଛନ୍ତି। କିନ୍ତୁ ଜାମ୍ପା ପକେଟରେ ହ୍ୟାଣ୍ଡ ଓ୍ବାର୍ମର୍ସ ବହନ କରିଥିଲେ। ଏହା ତାଙ୍କର ଏକ ଅଭ୍ୟାସ ବୋଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ କୁହାଯାଇଛି।

Share