ବଳାତ୍କାରୀଙ୍କୁ ଦିଆଯିବ ନପୁଂସକ ଇଞ୍ଜେକଶନ

ମଣ୍ଟଗୋମେରୀ,୧୨।୬: ବଳାତ୍କାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଦାବିକୁ ଆଖି ଆଗରେ ରଖି ଗୋଟିଏ ରାଜ୍ୟ ଦୋଷୀଙ୍କୁ ନପୁଂସକ କରିବା ପାଇଁ ଏକ କେମିକାଲର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ଆମେରିକାର ଆଲାବାମାରେ ଏହାକୁ ନେଇ ଏକ ନୂଆ ଆଇନ ପ୍ରଣୟନ କରାଯାଇଛି। ନୂଆ ଆଇନ ଅନୁସାରେ ୧୩ବର୍ଷରୁ କମ୍‌ ବୟସର ଶିଶୁ ସହ ଯୌନ ଅପରାଧ କରୁଥିବା ବ୍ୟକ୍ତିଙ୍କୁ ନପୁଂସକ କରିବା ପାଇଁ ଇଞ୍ଜେକଶନ କିମ୍ବା ଔଷଧ ଦିଆଯିବ। ଆଇନ ଅନୁସାରେ ଶିଶୁଙ୍କ ସହ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ପାରୋଲରେ ଛଡ଼ାଯିବା ପୂର୍ବରୁ ଏହି ଇଞ୍ଜେକଶନ ଲଗାଯିବ। ଯାହାଫଳରେ ବ୍ୟକ୍ତିର ଯୌନ କ୍ଷମତା କ୍ଷୟ ହୋଇଯିବ। ଇଞ୍ଜେକଶନ ଲଗାଇବା ପରେ ଏହାର ପ୍ରଭାବ ସବୁଦିନ ନୁହେଁ ବରଂ କିଛି ସମୟ ପର୍ଯ୍ୟନ୍ତ ରହିବ। ପାରୋଲ ନେବାର ପାଖାପାଖି ମାସେ ପୂର୍ବରୁ ଏହି ଇଞ୍ଜେକଶନ ଲଗାଯିବ ବୋଲି ସୂଚନା ମିଳିଛି। ଆଉ ଏହି ଇଞ୍ଜେକଶନ୍‌ର ଖର୍ଚ୍ଚ ଉଠାଇବେ ଖୋଦ୍‌ ବଳାତ୍କାରୀ। ଯେଉଁ ବ୍ୟକ୍ତି ଏହାକୁ ନେବା ପାଇଁ ମନା କରିବେ ସେମାନଙ୍କୁ ଜେଲ୍‌ରୁ ଛଡ଼ାଯିବ ନାହିଁ। ସେହିପରି ବଳାତ୍କାରୀଙ୍କୁ କେତେ ଦିନ ଯାଏଁ ଏହି ଇଞ୍ଜେକଶନ୍‌ ଦିଆଯିବ ସେ ନେଇ କୋର୍ଟ ସ୍ଥିର କରିବେ। ତେବେ କେମିକାଲ କାଷ୍ଟ୍ରାସନ୍‌ରେ ଟ୍ୟାବଲେଟ କିମ୍ବା ଇଞ୍ଜେକଶନର ବ୍ୟବହାର କରାଯାଉଛି। ଏହା ଦ୍ବାରା ଟେଷ୍ଟୋଷ୍ଟିରନର ପ୍ରଡକ୍ସନ ପ୍ରଭାବିତ ହୋଇଥାଏ ଏବଂ ବ୍ୟକ୍ତିର ସେକ୍ସ ଡ୍ରାଇଭକୁ ଦୁର୍ବଳ କରିଥାଏ। ହେଲେ ଚିକିତ୍ସା ବନ୍ଦ ହେବା ପରେ ଏହାର ପ୍ରଭାବ କମିବାକୁ ଲାଗିଥାଏ। ଆଲାବାମାରେ ଏହି ଆଇନ ତିଆରି କରାଯିବା ପରେ ଆମେରିକାର ଏଭଳି ୭ଟି ରାଜ୍ୟ ହୋଇଯିବ, ଯେଉଁଠି କେମିକାଲ କାଷ୍ଟ୍ରାସନ୍‌ର ବ୍ୟବହାର କରାଯାଉଛି। ଏହି ରାଜ୍ୟ ଭିତରେ ଲୁସିଆନା ଓ ଫ୍ଲୋରିଡା ମଧ୍ୟ ସାମିଲ ଥିବା ଜଣାପଡ଼ିଛି।

Share