Categories: ଖେଳ

ବଳାତ୍କାର ଅଭିଯୁକ୍ତ କୋଚ୍‌ଙ୍କୁ ବ୍ୟାନ କଲା ଏସ୍‌ଏଫ୍‌ଆଇ

ନୂଆଦିଲ୍ଲୀ,୬।୯(ପିଟି): ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ଶୁକ୍ରବାର ଗୋଆ ଆସୋସିଏଶନ ଦ୍ୱାରା ବିଦା ହୋଇଥିବା କୋଚ୍‌ ସୁରଜିତ ଗାଙ୍ଗୁଲିଙ୍କୁ ବାସନ୍ଦ କରିଛି। ଗୋଆ ସୁଇମିଂ ଆସୋସିଏଶନ (ଜିଏସ୍‌ଏ)ରେ କୋଚ୍‌ ଭାବେ କାର୍ଯ୍ୟ କରୁଥିବା ଗାଙ୍ଗୁଲି ତାଙ୍କ ନିକଟରେ ଟ୍ରେନିଂ ନେଉଥିବା ୧୫ ବର୍ଷୀୟା ନାବାଳିକାକୁ ବଳାତ୍କାର କରିଥିଲେ। ଏହାର ଭିଡିଓ ଭାଇରାଲ ହୋଇଯିବା ପରେ ତାଙ୍କ ଚୁକ୍ତିକୁ ଜିଏସ୍‌ଏ ବାତିଲ କରିବା ସହ ପୋଲିସ କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଛି। ଗୋଆ ଶାଖାଠାରୁ ପ୍ରମାଣ ମିଳିବା ପରେ ଏସ୍‌ଏଫ୍‌ଆଇ ଉକ୍ତ ଘଟଣାକୁ ବିରୋଧ କରିଛି। ଏଥିସହ ଅମାନବୀୟ କାର୍ଯ୍ୟ ପାଇଁ ତାଙ୍କୁ ଦେଶରେ କୌଣସି ସ୍ଥାନରେ କୋଚିଂ ଓ ସନ୍ତରଣର ଅନ୍ୟ କାର୍ଯ୍ୟରୁ ବ୍ୟାନ କରିଛି। ଏହା ପୂରା ୨୯ ରାଜ୍ୟରେ କାର୍ଯ୍ୟକାରୀ ହେବ ବୋଲି ଏସ୍‌ଏଫ୍‌ଆଇ ପକ୍ଷରୁ କୁହାଯାଇଛି।

Share