ବଳାତ୍କାର ଅଭିଯୋଗରେ ୨ ଅଟକ

ଆନନ୍ଦପୁର/ଘସିପୁରା, ୧୪। ୧୦(ସ୍ବ.ପ୍ର./ଡି.ଏନ.ଏ.)-ଘସିପୁରା ଥାନା ଅନ୍ତର୍ଗତ ଯୁଗଳକିଶୋରପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଇ ଜଣ ବଳାତ୍କାର କରିଥିବାନେଇ ପିଡୀତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ଘସିପୁରା ପୋଲିସ ଏନେଇ ଏକ ମାମଲା (ନଂ ୧୯୨/୧୯) ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ପୋଲିସ ସୂଚନା ଅନୁଯାୟୀ, ଗତ ୧୨ ତାରିଖରେ ଯୁଗଳକିଶୋରପୁର ଠାରେ ଏକ ଫୁଟବଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେଉଥିଲା। ଘସିପୁରା ଥାନା ଓସ୍ତପୁରା ଗ୍ରାମର ଅଭିଯୁକ୍ତ ଦୁଇ ଯୁବକ ଏହି ଖେଳ ଦେଖିବାକୁ ଯାଇଥିଲେ। ଖେଳ ଦେଖି ସାରିବା ପରେ ସନ୍ଧ୍ୟା ସମୟରେ ପିଡିତାଙ୍କୁ ଏକୁଟିଆ ପାଇ ସମ୍ପୃକ୍ତ ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିଥିବା ନେଇ ଭାରାପ୍ରାପ୍ତ ଏସଡିପିଓ ରବୀନ୍ଦ୍ର କୁମାର ମଲିକ କହିଛନ୍ତି। ପିଡୀତା ଜଣଙ୍କ ନାବାଳିକା ହୋଇଥିବାବେଳେ ଅଟକ ରହିଥିବା ଯୁବକ ଦୁଇ ଜଣ ଓସ୍ତପୁରା ଅଞ୍ଚଳର। ପିଡିତାଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଥିବା ପୋଲିସ ସୂଚନା ଦେଇଛି। ଏହି ଘଟଣାକୁ ଘସିପୁରା ଆଇଆଇସି ରାମଚନ୍ଦ୍ର ବିଶ୍ୱାଳ ତଦନ୍ତ କରୁଛନ୍ତି।