Categories: ଖେଳ

ବଳାତ୍କାର ଅଭିଯୋଗ: ଫୁଟବଲ ସୁପରଷ୍ଟାର ନେମାରଙ୍କ ବିରୋଧରେ ତଦନ୍ତ ଶେଷ

ସାଓ ପାଉଲୋ,୩୦।୭(ଏଏଫ୍‌ପି)- ବ୍ରାଜିଲ ଫୁଟବଲ ସୁପରଷ୍ଟାର ନେମାରଙ୍କ ବିରୋଧରେ ଆସିଥିବା ବଳାତ୍କାର ଅଭିଯୋଗର ତଦନ୍ତ ଶେଷ ହୋଇଛି। ପ୍ରମାଣ ଅଭାବରୁ ବ୍ରାଜିଲ ପୋଲିସ ତଦନ୍ତ ଆଗକୁ ନ ବଢାଇ ଏଥିରେ ପୂର୍ଣ୍ଣଛେଦ ପକାଇଛି ସାଓ ପାଉଲୋ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି। ପୋଲିସର ଏହି ନିଷ୍ପତ୍ତି ସମ୍ପର୍କରେ ରିପୋର୍ଟ ପ୍ରସେକ୍ୟୁଟରଙ୍କ ପାଖକୁ ପଠାଇଦିଆଯାଇଛି। ଆଗାମୀ ୧୫ ଦିନ ମଧ୍ୟରେ ପ୍ରସେକ୍ୟୁଟର ଏହି ମାମଲାର ମୂଲ୍ୟାଙ୍କନ କରିବେ। ତେବେ ବିଚାରପତି ଏ ସଂକ୍ରାନ୍ତରେ ଅନ୍ତିମ ରାୟ ପ୍ରଦାନ କରିବେ। ଏ ନେଇ ନେମାରଙ୍କ ମୁଖପାତ୍ର କିଛି କହିବାକୁ ଅକ୍ଷମ ବୋଲି କହିଛନ୍ତି। ମଙ୍ଗଳବାର ପୋଲିସ ଏ ନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେବାର କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖଥାଉ କି, ଗତ ମେ ମାସରେ ପ୍ୟାରିସର ଏକ ହୋଟେଲରେ ନେମାର ବଳାତ୍କାର କରିଛନ୍ତି ବୋଲି ବ୍ରାଜିଲର ଜଣେ ମହିଳା ଅଭିଯୋଗ ଆଣିଥିଲେ। ତେବେ ନେମାର ଏଭଳି ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କରିଥିଲେ। ସେତେବେଳେ ଏ ନେଇ ବ୍ରାଜିଲ୍‌ରେ ଜୋରଦାର ଚର୍ଚ୍ଚା ଚାଲିଥିଲା ଓ ଏହା ଦ୍ୱାରା ବ୍ରାଜିଲର କୋପା ଅମେରିକା ପ୍ରସ୍ତୁତିକୁ ମଧ୍ୟ ପ୍ରଶଂସକମାନେ ସେତେଟା ଗୁରୁତ୍ୱ ଦେଇ ନ ଥିଲେ। ଏହି ଟୁର୍ନାମେଣ୍ଟ ଫାଇନାଲରେ ବ୍ରାଜିଲ ୩-୧ ଗୋଲରେ ପେରୁକୁ ହରାଇ ରେକର୍ଡ ନବମଥର ପାଇଁ ଟାଇଟଲ ହାସଲ କରିଥିଲା। ଏହି ମାମଲାରେ ନେମାର ସାଓ ପାଉଲୋ ପୋଲିସ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ। ମେ’ ଶେଷ ଆଡକୁ ତାଙ୍କୁ ପୋଲସ୍‌ ପଚରା ଉଚାର ମଧ୍ୟ କରିଥିଲା। ତେନେ ନେମାର ଏହି ମାମଲାରେ ନିର୍ଦ୍ଦେଶ ବୋଲି ଅଧିକାଂଶ ବ୍ରାଜିଲ ଅଧିବାସୀ ବିଚାର କରନ୍ତି। ଜଣାଶୁଣା ଫୁଟବଲ କ୍ଲବ୍‌ ପ୍ୟାରିସ- ସେଣ୍ଟ- ଜର୍ମାନ ପାଇଁ ଖେଳିବାକୁ ଚୁକ୍ତିବଦ୍ଧ ହୋଇଥିବା ନେମାର ଚଳିତ ମାସ ପ୍ରାରମ୍ଭରେ ଫ୍ରାନ୍ସ ପ୍ରତ୍ୟାବର୍ତ୍ତନ କରିଥିଲେ। ୨୦୧୭ରେ ସେ ଏହି କ୍ଲବ୍‌ରେ ଯୋଗ ଦେଇଥିଲେ। ଏବେ ସେ ବାର୍ସିଲୋନା ପାଇଁ ପୁଣି ଖେଳିବାକୁ ଇଚ୍ଛା ଜାହିର କରିଛନ୍ତି।

Share