Categories: ଗଞ୍ଜାମ

ବଳାତ୍କାର ଅଭିଯୋଗ, ଯୁବକ ଗିରଫ

ଗୋପାଳପୁର,୩ା୧୦- ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଗୋଳନ୍ଥରା ପୋଲିସ ବୁଧବାର ରାତିରେ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ପଞ୍ଚମା ଗ୍ରାମର ଲକ୍ଷ୍ମୀନାରାୟଣ ପ୍ରଧାନ।
ପ୍ରକାଶ ଯେ, ଏହି ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ଘରକୁ ପ୍ରାୟ ୮ମାସ ହେଲେ ଲକ୍ଷ୍ମୀନାରାୟଣଙ୍କ ଯିବାଆସିବା କରୁଥିଲେ। ଏହା ଭିତରେ ସମ୍ପୃକ୍ତ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ସେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖି ଆସୁଥିଲେ। ଏପରିକି ଗତ ଅଗଷ୍ଟ ୨୬ରେ ଉଭୟେ ଭୁବନେଶ୍ୱର ବୁଲିବାକୁ ଯାଇ ଏକ ଲଜ୍‌ରେ ରହିଥିଲେ। ପରଦିନ ଗ୍ରାମକୁ ଫେରୁଥିବାବେଳେ ଭୁବନେଶ୍ୱର ରେଳ ଷ୍ଟେସନରେ ଯୁବତୀଙ୍କୁ ଲକ୍ଷ୍ମୀନାରାୟଣ ଟଙ୍କା ମାଗିଥିଲେ। ସେ ନ ଦେବାରୁ ମାଡ ମାରିଥିଲେ। ଚେତାଶୂନ୍ୟ ହୋଇଯିବାରୁ ସେଠାରେ ଛାଡି ଚାଲିଆସିଥିଲେ। ଯୁବତୀ ଜଣକ ଘରକୁ ଫେରି ସେପ୍ଟେମ୍ବର ୩୦ରେ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ନଂ.୨୩୬/୧୯ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ବୁଧବାର ରାତିରେ ଲକ୍ଷ୍ମୀନାରାୟଣ ଗ୍ରାମରେ ଥିବା ଖବର ପାଇ ପୋଲିସ ଚଢାଉ କରି କାବୁ କରିଥିଲା। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ସୂତ୍ରରୁ ପ୍ରକାଶ।