ବଳାତ୍କାର ଜେଲ ଗଲେ ଛାତ୍ର ନେତା

ବିଞ୍ଝାରପୁର,୧୬ା୧୦(ଡି.ଏନ.ଏ)- ବିଞ୍ଝାରପୁର ଥାନା ନରୁଆ ଗ୍ରାମର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର କରିବା ଅଭିଯୋଗରେ ବିଞ୍ଝାରପୁର ପୋଲିସ ଅଭିଯୁକ୍ତ ଛାତ୍ର ନେତା ଜିତେନ୍ଦ୍ର ପ୍ରଧାନଙ୍କୁ ସୋମବାର ରାତିରେ ପାଣିକୋଇଲି ବସ୍‌ଷ୍ଟାଣ୍ଡରୁ ଗିରଫ କରିଛି। ମଙ୍ଗଳବାର ତାଙ୍କର ଡାକ୍ତରୀମାଇନା କରିବା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି।
ପ୍ରକାଶ ଯେ, ଜିତେନ୍ଦ୍ର ନିଜର ସମ୍ପର୍କିୟ ଭାଣିଜୀଙ୍କୁ ୭ବର୍ଷ ପୂର୍ବରୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଆସୁଥିଲେ। ଜିତେନ୍ଦ୍ରଙ୍କର ଅନ୍ୟତ୍ର ବିବାହ ସ୍ଥିର ହୋଇଯିବା ପରେ ସମ୍ପର୍କିୟ ଭାଣିଜୀ ତାଙ୍କର ସବୁ ଗୁମର ଖୋଲିବା ସହିତ ଗତ ୨୩ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ପୋଲିସ ଏକ ମାମଲା (ନଂ ୨୫୧/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିବାରୁ ଜିତେନ୍ଦ୍ର ଫେରାର ହୋଇଯାଇଥିଲେ। ତଦନ୍ତ ବେଳେ ପୋଲିସ ଜିତେନ୍ଦ୍ରଙ୍କର ଜଣେ ଭାଇ ଓ ଭିଣୋଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜିତେନ୍ଦ୍ରଙ୍କୁ ଧରିବାକୁ ଯାଜପୁର ଏସ୍‌ପି ଚରଣ ସିଂହ ମୀନାଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ଉଦ୍ୟମ ଚଳାଇଥିବାବେଳେ ସୋମବାର ରାତିରେ ସେ ଘରକୁ ଫେରୁଥିବା ଖବର ପାଇ ତାଙ୍କୁ ପାଣିକୋଇଲି ବସଷ୍ଟାଣ୍ଡରୁ ଗିରଫ କରିଥିଲା। ସୂଚନା ଥାଉକି, ସେ ପୂର୍ବରୁ ବିଞ୍ଝାରପୁର ବ୍ଲକ ଛାତ୍ର ବିଜେଡି ସଭାପତି ଥିବାବେଳେ ଏହି ଅଭିଯୋଗ ପରେ ତାଙ୍କୁ ଉକ୍ତ ପଦରୁ ନିଲମ୍ବନ କରାଯାଇଥିଲା।