Categories: ଜାତୀୟ

ବଳାତ୍କାର ପରେ ଗୁଳି: ଜାଳିଦେଲେ ଯୁବତୀଙ୍କ ମୃତଦେହ

ବକ୍ସର, ୪ା୧୨ : ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ପୋଡ଼ିମାରିଦେବା ଘଟଣାକୁ ନେଇ ଦେଶବ୍ୟାପୀ ନିଆଁ ଜଳୁଥିବାବେଳେ ବିହାରର ବକ୍ସର ଜିଲା ଅନ୍ତର୍ଗତ କୁକୁଢା ଗ୍ରାମରେ ଜଣେ ଯୁବତୀଙ୍କୁ ବଳାତ୍କାର ପରେ ଗୁଳିକରି ହତ୍ୟା କରାଯାଇଛି। ଏପରି କି ପ୍ରମାଣ ନଷ୍ଟ କରିବାକୁ ଯାଇ ମୃତଦେହକୁ ଜାଳିଦେବା ଭଳି ବର୍ବର ଘଟଣା ସାମ୍ନାକୁ ଆସିଛି। ଇଟାଢି ଥାନା ଅଧୀନ ଏକ ଖୋଲା ପଡ଼ିଆରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ମଙ୍ଗଳବାର ସକାଳେ ପୋଲିସ ଉଦ୍ଧାର କରିଛି। ସୋମବାର ରାତିରେ ପାଟନାରୁ ୧୦୦ କି.ମି. ଦୂର ବକ୍ସରର ଉପାନ୍ତ ଅଞ୍ଚଳରେ ଏଭଳି କାଣ୍ଡ ଘଟିଥିବା ବକ୍ସର ଡିଏସ୍‌ପି ସତୀଶ କୁମାର ପ୍ରକାଶ କରିଛନ୍ତି। ବଳାତ୍କାର ପରେ ଯୁବତୀଙ୍କ ମୁଣ୍ଡକୁ ଗୋଟିଏ ଗୁଳି ମାଡ଼ କରାଯାଇଥିବାବେଳେ ପୋଲିସ ସେଠାରୁ ଏକ ଖୋକା ଜବତ କରିଛି। ଯୁବତୀଙ୍କ ଅଣ୍ଟା ଉପରକୁ ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ତାଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି। ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ପରେ ଯୁବତୀଙ୍କ ବୟସ କେତେ ତାହା ଜଣାପଡ଼ିବ ବୋଲି ପୋଲିସ କହିଛି। ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ କାହାରିକୁ ଗିରଫ କରାଯାଇନାହିଁ। ପୋଲିସ ତଦନ୍ତ ଜାରି ରହିଛି।

Share