ବଳାତ୍କାର ପୀଡିତା ଅଧ୍ୟାପିକାଙ୍କ ମୃତ୍ୟୁଦେହ ଉଦ୍ଧାର ମାମଲା: ଘଟଣାସ୍ଥଳରେ ଏସ୍‌ପିଙ୍କ ତଦନ୍ତ

ରାଇରଙ୍ଗପୁର,୩ା୧୨(ଡି.ଏନ୍‌.ଏ.): ରାଇରଙ୍ଗପୁର ଅଞ୍ଚଳସ୍ଥିତ ଏକ କଲେଜର ଜଣେ ଅଧ୍ୟାପିକା ବଳାତ୍କାରର ଶିକାର ହୋଇ ପୋଲିସଠାରୁ ନ୍ୟାୟ ନ ପାଇ ଆତ୍ମହତ୍ୟା କରିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଏହି ସମ୍ବେଦନଶୀଳ ଘଟଣାରେ ମୟୂରଭଞ୍ଜ ପୋଲିସ ସମାଲୋଚନାର ସରବ୍ୟ ହୋଇଛି। ତେବେ ସୋମବାର ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଅଧ୍ୟାପିକା ଆତ୍ମହତ୍ୟା କରିଥିବା ଘଟଣାସ୍ଥଳ (କଲେଜ ଛାତ୍ରୀନିବାସ)ରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି।
କଲେଜ ଛାତ୍ରୀନିବାସ ସୁପରିଟେଣ୍ଡେଣ୍ଟ, ସହକାରୀ ସୁପରିଟେଣ୍ଡେଣ୍ଟ ଛାତ୍ରୀନିବାସ ମାଟ୍ରନ୍‌, କଲେଜ ପ୍ରିନି୍ସପାଲଙ୍କ ସମେତ ଛାତ୍ରୀନିବାସ ଅନ୍ତେବାସୀମାନଙ୍କୁ ପୃଥକ ପୃଥକ ଭାବେ ସାକ୍ଷାତ କରି ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲା ସମ୍ପର୍କରେ ଏସ୍‌ପି ପୁରୁଷୋତ୍ତମ ଦାସ ତଦନ୍ତ କରିଥିଲେ। ଏହାବ୍ୟତୀତ ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲାକୁ ନେଇ କଲେଜ ପରିସରରେ ବିକ୍ଷୋଭ କରିଥିବା ବିକ୍ଷୋଭକାରୀ ଛାତ୍ରୀଛାତ୍ରଙ୍କୁ ଭେଟି ଆଲୋଚନା କରିଥିଲେ। ଏସ୍‌ପିଙ୍କ ତଦନ୍ତ ବେଳେ ରାଇରଙ୍ଗପୁର ପୋଲିସ ସର୍କଲ ଏସ୍‌ଡିପିଓ ସ୍ନେହାଶିଷ ସାହୁ ଏବଂ ସ୍ଥାନୀୟ ଟାଉନ୍‌ ଥାନା ଅଧିକାରୀ ଇନ୍ସପେକ୍ଟର ରଞ୍ଜନ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ମାମଲାରେ ରବିବାର ୨ ଅଭିଯୁକ୍ତ ଦେବବ୍ରତ ମଣ୍ଡଳ ଓ ସୁଜିତ ମଣ୍ଡଳଙ୍କୁ ଗିରଫ କରିବା ପରେ ସୋମବାର କୋର୍ଟଚାଲାଣ କରାଯାଇଛି।