Categories: ମେଟ୍ରୋ

ବଳାତ୍କାର, ବ୍ଲାକମେଲିଂ ଘଟଣା : ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ନ ଥିବା ରିପୋର୍ଟ ଦେଲେ ଡିସିପି

ଭୁବନେଶ୍ୱର, ୧୭ା୬(ବ୍ୟୁରୋ) : ଖଣ୍ଡଗିରି ଥାନା ଅଞ୍ଚଳରେ ପୁରୀର ଜଣେ ମହିଳାଙ୍କୁ ନିଶା ଦେଇ ବଳାତ୍କାର କରାଯିବା ସହ ସେହି ସମୟର ଦୃଶ୍ୟକୁ ଭିଡିଓ ଉତ୍ତୋଳନ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଥିଲା। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଅଭିଯୁକ୍ତମାନେ ବଳାତ୍କାର ସମୟର ଭିଡିଓକୁ ନେଇ ପୀଡ଼ିତାଙ୍କୁ ବ୍ଲାକମେଲିଂ କରି ଟଙ୍କା ଓ ସୁନା ଦାବି କରୁଥିବା ମାନବାଧିକାର କର୍ମୀ ଜୟନ୍ତ ଦାସ ଗତବର୍ଷ ଅକ୍ଟୋବର ୧୨ରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି)ଙ୍କ ନିକଟରେ ଅଭିଯୋଗ କରିଥିଲେ। ପୋଲିସର ଅବହେଳା ସଂକ୍ରାନ୍ତରେ ଏନ୍‌ଏଚ୍‌ଆରସି ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ତଲବ କରିଥିଲେ। ତଦନୁଯାୟୀ ଭୁବନେଶ୍ୱର ଡିସିପି ଗତ ମାର୍ଚ୍ଚ ୨୯ ତାରିଖରେ ତଦନ୍ତ ରିପୋର୍ଟ ଏନ୍‌ଏଚ୍‌ଆରସିଙ୍କୁ ଦେଇଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ ଠୋସ୍‌ ପ୍ରମାଣ ନ ଥିବା ଏବଂ ବାରମ୍ବାର ଅନୁରୋଧ ସତ୍ତ୍ୱେ ଅଭିଯୋଗକାରିଣୀ ଭିଡିଓ କ୍ଲିପ୍‌ ତଦନ୍ତକାରୀ ଅଧିକାରୀଙ୍କୁ ଦାଖଲ କରିବାରେ ବିଫଳ ହୋଇଥିବା ଡିସିପି ରିପୋର୍ଟରେ ଦର୍ଶାଇଛନ୍ତି।
ଘଟଣାର ଜଣେ ଅଭିଯୁକ୍ତ ଧରିତ୍ରୀକୁ କହିଛନ୍ତି ଯେ, ତାଙ୍କୁ ବଦନାମ୍‌ କରିବା ଓ ରାଗ ଶୁଝାଇବା ପାଇଁ ତାଙ୍କ ସମେତ ୨ଜଣଙ୍କ ନାମରେ ଉଦ୍ଦେଶ୍ୟମୂଳକ ଅଭିଯୋଗ କରାଯାଇଛି, ଯାହାର କୌଣସି ସତ୍ୟତା ନାହିଁ।

Share