ବଳାତ୍କାର ମାମଲାକୁ ଗୁରୁତ୍ୱ ଦେଉନି ପୋଲିସ: ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କଲେ ପୀଡ଼ିତା

ବଣାଇ, ୧୭।୩(ସ୍ବ.ପ୍ର.)-ସୁନ୍ଦରଗଡ଼ ଜିଲା ବଣାଇ ଥାନା ପୋଲିସ ବଳାତ୍କାର ମାମଲା ଭଳି ଘଟଣାକୁ ଗୁରୁତ୍ୱ ଦେଉନାହିଁ। ଅଭିଯୋଗ ହେବାର ୧୫ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ। ବରଂ ପୀଡ଼ିତାଙ୍କୁ ବାରମ୍ବାର ଥାନାକୁ ଦୌଡ଼ାଯାଇ ହଇରାଣ କରାଯାଉଛି। ଶେଷରେ ନିରୁପାୟ ହୋଇ ପୀଡ଼ିତା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ସୋମବାର ସାକ୍ଷାତକରି ନ୍ୟାୟ ଭିକ୍ଷା କରିବା ସହ ପୋଲିସ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି।
ବଣାଇ ଥାନା ଅନ୍ତର୍ଗତ କନ୍ତଯୋଡି ଗ୍ରାମରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଫେବୃୟାରୀ ୨୮ରେ ଥାନାରେ ଅଭିଯୋଗ ହୋଇଥିଲା। ପରେ ପୋଲିସ ଏକ ମାମଲା (ନଂ. ୨୧।୨୦୨୦) ରୁଜୁ କରିଥିଲା। ତଦନ୍ତକରି ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ପୋଲିସ ହାତବାନ୍ଧି ବସିଥିବା ସୋମବାର ପୀଡିତା ସିଧାସଳଖ ଅଭିଯୋଗ କରି ଅସନ୍ତୋଷ ପ୍ରକଟ କରିଛନ୍ତି। କେବଳ ସେତିକି ନୁହେଁ, ଇତି ମଧ୍ୟରେ ଦୁଇଦୁଇଥର ତାଙ୍କୁ ପୋଲିସ ଡାକ୍ତରୀ ମାଇନା ପାଇଁ ଡାକି ପରୀକ୍ଷା ନିରୀକ୍ଷା କରାଇ ସାରିଛି। ଏହା ସତ୍ତ୍ୱେ ବାରମ୍ବାର ଥାନାକୁ ଡକାଇ ତାଙ୍କୁ ଜନୈକା ମହିଳା ପୋଲିସ ଧମକଚମକ ଦେଉଥିବା ସଂକ୍ରାନ୍ତରେ ବଣାଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ପୀଡ଼ିତା ଅଭିଯୋଗ କରିଛନ୍ତି। ପୀଡିତା ସୋମବାର ଦେଇଥିବା ଅଭିଯୋଗପତ୍ରରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଯେ, ତାଙ୍କୁ ଡାକ୍ତରୀ ମାଇନା ପାଇଁ ଗତମାସ ୨୮ ଏବଂ ଚଳିତମାସ ୧୪ ତାରିଖରେ ଥାନାକୁ ଡକାଯାଇଥିଲା। ଦୁଇଥର ପରୀକ୍ଷା କରାଇ ସାରିବା ପରେ ଯାଞ୍ଚ ଆଳରେ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଛି। କେବଳ ସେତିକି ନୁହେଁ, ଥାନାର ଜଣେ ମହିଳା ପୋଲିସ ତାଙ୍କୁ ବିଭିନ୍ନ ନକରାମତ୍କ କଥାକହି ହତୋତ୍ସାହିତ କରୁଛନ୍ତି। ଡାକ୍ତରୀ ମାଇନାରେ ପୀଡିତାଙ୍କ ଗର୍ଭ ରିପୋର୍ଟ ପଜିଟିଭ୍‌ ଥିବାବେଳେ ପୁନଃ ଏକ ଅଲଟ୍ରାସାଉଣ୍ଡ କରି ପେଟରେ ପିଲା ନାହିଁ ମରିଯାଇଛି କହୁଛନ୍ତି ସମ୍ପୃକ୍ତ ମହିଳା ପୋଲିସ। ବିଭିନ୍ନ କଥା କହି ବାରମ୍ବାର ତାଙ୍କୁ ଭୟଭୀତ କରାଉଥିବା ପୀଡିତା ନିଜ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଅଦ୍ୟାବଧି ଫେରାର ଥିବା ଉପରେ ପୋଲିସର ଟାଳଟୁଳ ନୀତି ନେଇ ତାଙ୍କର ଅଭିଯୋଗ ଯଦି ସତ୍ୟ ହୁଏ ତେବେ ଉଚ୍ଚକର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏନେଇ ବଣାଇ ଥାନା ଆଇଆଇସି ରବୀନ୍ଦ୍ର କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଲେ, ତଦନ୍ତ ଚାଲିଛି। ଅଭିଯୁକ୍ତ ଫେରାର୍‌ ଅଛନ୍ତି। ଖୁବଶୀଘ୍ର ଗିରଫ କରାଯିବ। ମହିଳା ପୋଲିସ ପୀଡ଼ିତାଙ୍କୁ ହଇରାଣ କରିବା ନେଇ ତାଙ୍କ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ପୀଡ଼ିତାଙ୍କ ଅଭିଯୋଗର ଅନୁଧ୍ୟାନ କରାଯିବ। ମହିଳା ପୋଲିସ ହଇରାଣ କରିଥିଲେ ଉଚ୍ଚ ଅଧିକାରୀଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ହେବ।

Share